ଜ୍ଵାଇଁକୁ ପିଟିପିଟି ହତ୍ୟା କଲେ କାକା ଶ୍ଵଶୁର

ବୌଦ୍ଧ: ଗାଁ ଦାଣ୍ଡରେ ଜ୍ଵାଇଁକୁ ପିଟିପିଟି ହତ୍ୟା କଲେ କାକା ଶ୍ଵଶୁର ଓ ୨ ଶଳା । ବୌଦ୍ଧ ଜିଲ୍ଲା ବାଉଁଶୁଣି ଥାନା ବଲାକିରା ଗ୍ରାମରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ମୃତକ ଜଣଙ୍କ ହେଲେ ଗୋବର୍ଦ୍ଧନ ଖଟୁଆ। ହତ୍ୟାକାରୀମାନେ ହେଲେ ପବିତ୍ର ପ୍ରଧାନ, ବିଷ୍ଣୁ ପ୍ରଧାନ ଓ ବ୍ରହ୍ମା ପ୍ରଧାନ । ତେବେ ହତ୍ୟାକାରୀମାନେ ଫେରାର ଥିବା ଜଣାପଡିଛି । ଶୁକ୍ରବାର ବିଳମ୍ବିତ ରାତିରେ ବଲାକିରା ଗ୍ରାମର ଗୋବର୍ଦ୍ଧନ ଖଟୁଆ ମଦ୍ୟପାନ କରି ନିଜ ଶ୍ଵଶୁର ଘର ଆଗରେ ଗାଳିଗୁଲଜ କରିବା ସହ ଶ୍ଵଶୁର ଘର ଲୋକଙ୍କ ସହ ପାଟିତୁଣ୍ଡ କରିଥିଲେ । ଫଳରେ ଶ୍ଵଶୁର ଘର ଲୋକ ଏବଂ ଗୋବର୍ଦ୍ଧନଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା । ତେବେ ଏଥିରେ ଶ୍ଵଶୁର ଘର ଲୋକେ ଅତିଷ୍ଠ ହୋଇ ଦାଣ୍ଡରେ ପଡ଼ିଥିବା ଏକ କାଠ ଫାଳିଆରେ ଗାଁ ଦାଣ୍ଡରେ ଜ୍ଵାଇଁକୁ ଗୋଡ଼ାଇ ଗୋଡ଼ାଇ ପିଟିପିଟି ହତ୍ୟା କରିଥିଲେ । ଫଳରେ ଘଟଣାସ୍ଥଳରେ ହିଁ ଜ୍ଵାଇଁର ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ପାଇ ବାଉଁଶୁଣି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହିତ ବାଉଁଶୁଣି ଡାକ୍ତର ଖାନାରେ ରଖିଥିବା ବେଳେ ପୋଲିସ ଫେରାର ଥିବା ଅଭିଯୁକ୍ତମାନଙ୍କୁ ଧରିବାକୁ ଉଦ୍ୟମ ଜାରି ରଖିଛି ।
Powered by Froala Editor