କଟିଲା ୬ଟି ଯାକ ମଡେଲ, ଏଥର ବି ସାଧାରଣତନ୍ତ୍ର ପରେଡ୍ରେ ଦେଖାଯିବନି ଓଡ଼ିଶା ପ୍ରଜ୍ଞାପନ ମେଢ଼
ଏ ବର୍ଷ ବି ଜାନୁଆରୀ ୨୬, ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀ ରାଜପଥରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସାମିଲ ହୋଇପାରିବନି । କୁହାଯାଉଛି କି, ସଠିକ୍ ରୂପରେ ବିଷୟବସ୍ତୁ ଉପସ୍ଥାପନ ହୋଇପାରିନଥିବାରୁ ସୁଯୋଗ ହରାଇଛି ଓଡ଼ିଶା । କାରଣ ଯାହାବି ହେଉନା କାହିଁକି ଓଡ଼ିଶାବାସୀଙ୍କ ପାଇଁ ଏହା ନିରାଶଜନକ ।
ସବୁବର୍ଷ ପରି ଏଥର ବି ବହୁ ଆଗରୁ ବୈଠକ ବସିଥିଲା । ବିଷୟ ଥିଲା ‘ସ୍ୱାଧୀନତାର ୭୫ ବର୍ଷ’ । ସ୍ୱାଧୀନତାର କାହାଣୀକୁ ନେଇ ବିଭିନ୍ନ ମଡେଲ୍ କରିବାକୁ କୁହାଯାଇଥିଲା । ସେହି ଅନୁସାରେ ବିଭିନ୍ନ ସଂସ୍ଥା ତରଫରୁ ରାଜ୍ୟ ସରକାରଙ୍କ ସହାୟତାରେ ୬ଟି ମଡେଲ୍ ଉପସ୍ଥାପନ କରାଯାଇଥିଲା । ପ୍ରଥମ ୩ଟି ବୈଠକରେ ମଡେଲ୍ଗୁଡ଼ିକର ଟୁଡି ଡିଜାଇନ୍ ଉପସ୍ଥାପନ କରାଯାଇଥିଲା । ସେଥିରେ ୬ଟିରୁ ୫ଟି ମଡେଲ୍ କାଟ୍ ଖାଇଥିଲେ । କଟି ଯାଇଥିବା ମଡେଲ ଗୁଡିକ ମଧ୍ୟରେ ‘କୃଷ୍ଣଚନ୍ଦ୍ର ଗଜପତି ଓ ଚାଖୀ ଖୁଣ୍ଟିଆ’, ‘ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏ’, ‘ସ୍ୱାଧୀନତା ପରେ ବିକାଶ’, ‘ଓଡ଼ିଶା ଓ ହକି’, ‘ଓଡ଼ିଶା ଓ ପ୍ରାକୃତିକ ବିପର୍ଯ୍ୟୟ’ ଆଦି ରହିଥିଲା । ଗୋଟିଏ ମଡେଲ୍କୁ ସାମାନ୍ୟ ପରିବର୍ତ୍ତନ ସହ ଉପସ୍ଥାପନ କରିବାକୁ କୁହାଯାଇଥିଲା । ମଡେଲ୍ଟି ଥିଲା ‘ପାଇକ ବିଦ୍ରୋହ ଓ ବକ୍ସି ଜଗବନ୍ଧୁ’ । ମାତ୍ର ଯେଉଁ ବୈଠକରେ ମଡେଲ୍ ଉପସ୍ଥାପନ ପାଇଁ ଡକାଯିବା କଥା ଅର୍ଥାତ୍ ୪ର୍ଥ ଥର ବୈଠକକୁ ଡକା ଯାଇନଥିଲା । ଏହାପରେ ମଡେଲ୍ ପ୍ରସ୍ତୁତ କରିଥିବା ସଂସ୍ଥା ତଥା ଶିଳ୍ପୀମାନେ ନିରାଶ ହୋଇଛନ୍ତି ।
Powered by Froala Editor