ବ୍ରିଟେନରେ ହେବକି ଲକଡାଉନ ଘୋଷଣା?

ଲଣ୍ଡନ: ବ୍ରିଟେନରେ କୋଭିଡର ଓମିକ୍ରନ ପ୍ରଜାତି ଦ୍ୱାରା ଅତି କ୍ଷିପ୍ର ସଂକ୍ରମଣ ଚାଲିଥିବାରୁ ଏହାକୁ ରୋକିବା ପାଇଁ ୨ ସପ୍ତାହ ଲକଡାଉନ କରିବାକୁ ଯୋଜନା ଚାଲିଛି । ଲଣ୍ଡନର ବିଭିନ୍ନ ହସ୍ପିଟାଲରେ କୋଭିଡ ରୋଗୀଙ୍କ ସଂଖ୍ୟା ବଢ଼ିଛି । ଦୈନିକ ସଂକ୍ରମଣ ଏବେ ୯୦ ହଜାର ଉପରେ ରହିବା ସହ ମୋଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ୩୦ ହଜାର ଅତିକ୍ରମ କରିଯାଇଥିବାରୁ ସରକାର କଠୋର କଟକଣା ପାଇଁ ପ୍ରସ୍ତୁତ ହେଉଛନ୍ତି ।
ବ୍ରିଟେନରେ ଲକଡାଉନ ଘୋଷଣା ପୂର୍ବରୁ ଓମିକ୍ରନକୁ ନେଇ ବୈଜ୍ଞାନିକ ଡାଟା ଏବଂ ଅନ୍ୟ ସମସ୍ତ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ ବୋଲି ବ୍ରିଟେନ ସ୍ୱାସ୍ଥ୍ୟ ସଚିବ କହିଛନ୍ତି । ଲଣ୍ଡନ ମେୟର ସାଦିକ୍ ଖାନ କହିଛନ୍ତି ଯେ ସାମାଜିକ ଦୂରତା ପାଳନ ସହିତ ପ୍ରତ୍ୟେକ ପରିବାର ସରକାରଙ୍କ ଦ୍ୱାରା ଧାର୍ଯ୍ୟ କଟକଣା ପାଳନ କରିବାକୁ ପଡ଼ିବ । ତେବେ ଅଚାନକ ଲକଡାଉନ ଲାଗୁ ନକରିବା ପାଇଁ ବିଭିନ୍ନ ମହଲ ଦାବି କରିଛନ୍ତି । ଏହି ପ୍ରସଙ୍ଗରେ ଗତକାଲି ବ୍ରେକ୍ସିଟ ମନ୍ତ୍ରୀ ଲର୍ଡ ଫ୍ରଷ୍ଟଙ୍କ ଇସ୍ତଫାକୁ ନେଇ ମଧ୍ୟ ରାଜନୀତି ସରଗରମ ରହିଛି । ବ୍ରିଟିଶ ଚ୍ୟାମ୍ବର ଅଫ କମର୍ସ ବ୍ୟବସାୟରେ ହେଉଥିବା କ୍ଷତିକୁ ଦୃଷ୍ଟିରେ ରଖି ଅଧିକ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଆଜି ଦୃଢ଼ ଦାବି ଉପସ୍ଥାପନ କରିଛି । ଇତିମଧ୍ୟରେ ଜର୍ମାନୀ ବ୍ରିଟିଶ ନାଗରିକଙ୍କ ଆଗମନ ଉପରେ କଟକଣା ଲାଗୁ କରିଛି ।
ନେଦରଲାଣ୍ଡ କରୋନା ସଂକ୍ରମଣକୁ ରୋକିବା ପାଇଁ କଡ଼ା ଲକଡାଉନ କାର୍ଯ୍ୟକାରୀ କରିଛି । ବ୍ରିଟେନରେ ଓମିକ୍ରନଜନିତ ମୃତୁ୍ୟ ସଂଖ୍ୟା ଏବେ ୭ରେ ପହଞ୍ଚିଛି ଏବଂ ଗୁରୁତର ରୋଗୀଙ୍କ ସଂଖ୍ୟା ୨୦୦ ଭିତରେ ରହିଛି ।
Powered by Froala Editor