ଲୋକସେବା ଭବନରେ କରୋନା, ୧୫ଜଣ କର୍ମଚାରୀ ସଂକ୍ରମିତ

ଭୁବନେଶ୍ୱର: କୋଭିଡ-୧୯ର ନୂଆ ଭାରିଏଣ୍ଟ ‘ଓମିକ୍ରନ’କୁ ନେଇ ଆଶଙ୍କା ଲାଗି ରହିଥିବାବେଳେ ରାଜ୍ୟ ସରକାରଙ୍କ ଇସ୍ପାତ ଓ ଖଣି ବିଭାଗର ୧୫ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି। ଏଥିପାଇଁ ରାଜ୍ୟ ସରକାର ୨ଦିନ ପାଇଁ ଏହି ବିଭାଗର ଅଫିସକୁ ବନ୍ଦ କରିଛନ୍ତି। ଲୋକସେବା ଭବନରେ ଥିବା ଏହି ଅଫିସ ବନ୍ଦ ରହିବ।
ରାଜ୍ୟ ଇସ୍ପାତ ଓ ଖଣି ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶନାମା ଅନୁସାରେ, ବିଭାଗର ୧୫ଜଣ କର୍ମଚାରୀ କୋଭିଡ-୧୯ ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ଏହାକୁ ଦୃଷ୍ଟିରେ ରଖି ସାଧାରଣ ପ୍ରଶାସନ ବିଭାଗର ନିର୍ଦ୍ଦେଶନାମା ଅନୁସାରେ ବିଭାଗର ଅଫିସକୁ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି। ଡିସେମ୍ବର୧୮ତାରିଖରୁ ବିଭାଗର କାର୍ୟ୍ୟାଳୟ ଖୋଲିବ ଓ ସ୍ୱାଭାବିକ ଭାବେ କାର୍ୟ୍ୟ ହେବ ବୋଲି ବିଭାଗର ନିର୍ଦ୍ଦେଶନାମାରେ ସୂଚନା ଦିଆଯାଇଛି।
ବିଭାଗର ଅନ୍ୟ କର୍ମଚାରୀମାନଙ୍କୁ ଘରୁ ରହି ଭିପିଏନ୍ ମାଧ୍ୟମରେ କାର୍ୟ୍ୟ କରିବାକୁ କୁହାଯାଇଥିବାବେଳେ ଟେଲିଫୋନ୍ ପାଇବା ମାତ୍ରେ ଶୀଘ୍ର ଅଫିସରେ ହାଜର ହେବା ନିମନ୍ତେ ପ୍ରସ୍ତୁତ ରହିବାକୁ କୁହାଯାଇଛି । ଏହାସହିତ ବିଭାଗ ପକ୍ଷରୁ ଜରୁରୀକାଳୀନ ଅଫିସ୍ କାର୍ୟ୍ୟ ପାଇଁ ରୋଷ୍ଟର ଡ୍ୟୁଟି ଆବଣ୍ଟନ ହୋଇଥିବା ଜଣାପଡ଼ିଛି।
Powered by Froala Editor