୮୯ଟି ବହୁମୁଖୀ ଇଣ୍ଡୋର ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କଳିଙ୍ଗ ଷ୍ଟାଡିୟମରୁ ରାଉରକେଲାର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ଅନୁଗୁଳ ସୁଇମିଂ ପୁଲ୍, ବାରିପଦା ସୁଇମିଂ ପୁଲ୍, କଳିଙ୍ଗ ଷ୍ଟାଡିୟମର ନୂତନ ଛାତ୍ରାବାସ ଓ କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ଭାରୋତ୍ତୋଳନ ହଲ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି । ୮୯ଟି ଇଣ୍ଡୋର୍ ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିପାଇଁ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ୫୦ ଟି କ୍ଷେତ୍ରରେ ଖୁବଶୀଘ୍ର କାମ ଆରମ୍ଭ ହେବ । ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ଇଣ୍ଡୋର୍ ଷ୍ଟାଡିୟମ ନିର୍ମାଣ ବର୍ଷକ ମଧ୍ୟରେ ଶେଷ ହେବ ।
ଏହି ଭିତ୍ତିପ୍ରସ୍ତର ଷ୍ଟାଡିୟମ ନିର୍ମାଣ ପାଇଁ ପୂର୍ବରୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ରାଜ୍ୟ କ୍ୟାବିନେଟ ବି ଏଥିରେ ମୋହର ମାରିଥିଲା । ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ୍, ଭାର ଉତ୍ତୋଳନ ଭଳି କ୍ରୀଡ଼ାର ବ୍ୟବସ୍ଥା ରହିବ । ପ୍ରାକୃତିକ ବିପର୍ୟ୍ୟୟ ସମୟରେ ପ୍ରଭାବିତ ଲୋକଙ୍କ ପାଇଁ ସାହାରା ପାଲଟିବ ଇଣ୍ଡୋର୍ ଷ୍ଟାଡିୟମ । ରାଜ୍ୟ ସରକାରଙ୍କ ଏଭଳି କାର୍ୟ୍ୟକ୍ରମ ରାଜ୍ୟରେ କ୍ରୀଡ଼ା କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି ।
ଏହି ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ସ୍ୱତନ୍ତ୍ର କାର୍ୟ୍ୟକ୍ରମ ଆୟୋଜିତ ହୋଇଥିଲା । ରାଜ୍ୟର ପ୍ରମୁଖ କ୍ରୀଡା ଭିତ୍ତିଭୂମି ପ୍ରକଳ୍ପର ଅଗ୍ରଗତିର ସମୀକ୍ଷା କରିଛନ୍ତି ନବୀନ । ବିଶେଷ କରି ଇଣ୍ଡୋର୍ ସୁଇମିଂ ପୁଲ୍, ଇଣ୍ଡୋର ଆଥଲେଟିକ୍ସ ଟ୍ରାକ୍ ରହିଛି । ଉନ୍ନତ କ୍ରୀଡ଼ା ଭିତ୍ତିଭୂମି ଯୋଗୁଁ ଲ୍ୟାଣ୍ଡ ମାର୍କ କଳିଙ୍ଗ ଷ୍ଟାଡିୟମ ବିଭିନ୍ନ କ୍ରୀଡ଼ାର ଅଗ୍ରଣୀ ସ୍ଥାନ ଭାବରେ ପରିଣତ କରିବ । ଏହି କାର୍ୟ୍ୟକ୍ରମରେ କ୍ରୀଡା଼ ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଉନ୍ନୟନ କମିଶନର ପି.କେ ଜେନା, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପଣ୍ଡିଆନ, କ୍ରୀଡ଼ା ସଚିବ ଆର ଭିନେଲ କ୍ରୀଷ୍ଣ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।
Powered by Froala Editor