ମୁଖ୍ୟମନ୍ତ୍ରୀ କଲେ ବଡ ଘୋଷଣା: ୧୮ରୁ ୪୪ ବର୍ଷ ପର୍ଯ୍ୟନ୍ତ ସମସ୍ତଙ୍କୁ ମିଳିବ ମାଗଣା ଟିକା
ଟିକାକରଣକୁ ନେଇ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମେ’ ୧ ତାରିଖରେ ସାରା ଦେଶରେ ୧୮ ବର୍ଷରୁ ବୟସ ବର୍ଗଙ୍କୁ କରୋନା ଟିକା ଦିଆଯିବ। ଆମ ରାଜ୍ୟରେ ମଧ୍ୟ ଟିକାକରଣ ହେବ। କିନ୍ତୁ ଆମ ରାଜ୍ୟବାସୀଙ୍କୁ ଟିକା ପାଇଁ ଟଙ୍କା ଦେବାକୁ ପଡ଼ିବ ନାହିଁ। ଅର୍ଥାତ୍ ସମସ୍ତଙ୍କୁ ମାଗଣାରେ ଟିକା ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।
ଏଥି ପାଇଁ ରାଜ୍ୟ ରାଜକୋଷରୁ ସରକାର ଖର୍ଚ୍ଚ କରିବେ ୨ ହଜାର କୋଟି ଟଙ୍କା । ୧୮ ବର୍ଷରୁ ୪୪ ବର୍ଷ ମଧ୍ୟରେ ପ୍ରାୟ ୨ କୋଟି ଲୋକଙ୍କୁ ମାଗଣାରେ ଟିକା ଦେବେ ରାଜ୍ୟ ସରକାର । ଏହା ପୂର୍ବରୁ ୧୭ଟି ରାଜ୍ୟରେ ମାଗଣା ଟିକା ଦେବାକୁ ଘୋଷଣା କରାଯାଇଛି । ମଧ୍ୟ ପ୍ରଦେଶ, କେରଳ, ଛତିଶଗଡ, ବିହାର, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ତାମିଲନାଡୁ, ଆନ୍ଧ୍ର ପ୍ରଦେଶ, ଗୋଆ, ଜାମ୍ମୁ କାଶ୍ମୀର, ଝାଡଖଣ୍ଡ, ହରିୟାଣା, ତେଲେଙ୍ଗାନା, ଆସାମ, ସିକ୍କିମ୍, ରାଜସ୍ଥାନ ଏବଂ ହିମାଚଳ ପ୍ରଦେଶ ନିଜ ରାଜ୍ୟବାସୀଙ୍କୁ ମାଗଣାରେ ଭ୍ୟାକସିନ୍ ଦେବାକୁ ଘୋଷଣା କରିସାରିଛନ୍ତି । ଏହି କ୍ରମରେ ଏବେ ସାମିଲ ହୋଇଛି ଓଡିଶା ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ସାରା ଦେଶ ଆଜି କଠିନ ପରିସ୍ଥିତି ଦେଇ ଗତି କରୁଛି। ଗତବର୍ଷ ତୁଳନାରେ ଏବର୍ଷର ସ୍ଥିତି ଅତ୍ୟନ୍ତ ସାଙ୍ଘାତିକ। ତେଣୁ ପରିସ୍ଥିତିର ଭୟାବହତାକୁ ରାଜ୍ୟବାସୀ ବୁଝିବା ଦରକାର। ସମସ୍ତେ କୋଭିଡ୍ ଗାଇଡ୍ ଲାଇନକୁ ମାନନ୍ତୁ। ସମସ୍ତେ ମାସ୍କ ପିନ୍ଧିବାକୁ ଗୁରୁତ୍ୱ ଦିଅନ୍ତୁ। ଯଦି ଆମେ ନିଜେ ସତର୍କ ନହେବା, ତାହେଲେ ସରକାର ଏକାକୀ ଏହି ମୁକାବିଲା ବିରୋଧରେ ଲଢ଼ିପାରିବେ ନାହିଁ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତ୍ୟେକ ମୃତ୍ୟୁ ପଛରେ ରହିଛି ଗୋଟିଏ ପରିବାରର ଦୁଃଖଭରା କାହାଣୀ। କିଏ ନିଜ ବାପାମା’ଙ୍କୁ ହରାଇଛି ତ କିଏ ନିଜ ଭାଇ ଭଉଣୀଙ୍କୁ ହରାଇଛି। ଏପରିକି କେଉଁଠି ଜଣେ ନବବିବାହିତା ସ୍ତ୍ରୀ ତା’ର ସ୍ୱାମୀକୁ ହରାଇଛି ଯେ କେଉଁଠି ବୁଢ଼ା ବାପାମା’ ଆଗରେ ରୋଜଗାରିଆ ପୁଅ ଚାଲି ଯାଉଛି। କେଉଁଠି ଛୋଟ ଛୋଟ ପିଲା ଅନାଥ ମଧ୍ୟ ହେଉଛନ୍ତି। ତେଣୁ ମୁଁ ଆପଣ ସମସ୍ତଙ୍କୁ ହାତଯୋଡ଼ି ଅନୁରୋଧ କରୁଛି ଯେ କୋଭିଡ୍ ନିୟମକୁ ମାନନ୍ତୁ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,‘ମହାରାଷ୍ଟ୍ର, ଛତିଶଗଡ, ମଧ୍ୟ ପ୍ରଦେଶ, ଦିଲ୍ଲୀ, ଆସାମ, ଝାଡଖଣ୍ଡ ଆଦି ରାଜ୍ୟରେ ସ୍ଥିତି ଗମ୍ଭୀର ରହିଛି । ଓଡିଶା ୬ଟି ରାଜ୍ୟକୁ ଅକ୍ସିଜେନ୍ ଯୋଗାଉଛି । ଆଗକୁ ମଧ୍ୟ ଏହା ଜାରି ରହିବ । ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ କ୍ରମେ ସାରା ଦେଶବାସୀ କରୋନା ବିରୁଦ୍ଧରେ ଲଢେଇ ଜାରି ରଖିଛନ୍ତି । ଆମେ ଏହାକୁ ପାଳନ କରିବା । କୋଭିଡ୍ ନିୟମ ମାନିବା ଏବଂ ନିଜକୁ କରୋନରୁ ରକ୍ଷା କରିବା ।’
Powered by Froala Editor