ବ୍ରୋଞ୍ଜ ପଦକ ହାସଲ କଲା ଓଡ଼ିଶା ପୋଲିସ୍ ମହିଳା ହକି ଟିମ୍

ଭୁବନେଶ୍ୱର: ସର୍ବ ଭାରତୀୟ ମହିଳା ହକି ଚାମ୍ପିୟନ୍ସିପ୍ରେ ଓଡ଼ିଶା ପୋଲିସ୍ ମହିଳା ହକି ଟିମ୍ ଚମତ୍କାର ପ୍ରଦର୍ଶନ କରିଛି । ବେଙ୍ଗାଲୁରୁଠାରେ ଆୟୋଜିତ ହୋଇଥିବା ଏହି ଚାମ୍ପିୟାନ୍ସିପ୍ରେ ଓଡ଼ିଶା ପୋଲିସ୍ ମହିଳା ହକି ଟିମ୍ ମହାରାଷ୍ଟ୍ରକୁ ୬-୦ ଗୋଲ୍ରେ ପରାସ୍ତ କରି ତୃତୀୟ ସ୍ଥାନ ଅଧିକାର କରିବା ସହ ବ୍ରୋଞ୍ଜ ପଦକ ହାସଲ କରିଛି । ୨ଟି ଫିଲ୍ଡ ଗୋଲ୍ ଏବଂ ୪ଟି ପେନାଲ୍ଟି କର୍ଣ୍ଣର ଗୋଲ୍ ଦେଇ ଓଡ଼ିଶା ମହିଳା ପୋଲିସ୍ ଏହି ସଫଳତା ହାସଲ କରିବାରେ ସକ୍ଷମ ହୋଇଛି ।
ଓଡ଼ିଶା ପୋଲିସ୍ ମହିଳା ହକି ଟିମ୍ ତରଫରୁ ରଶ୍ମିତା ମିଞ୍ଜ ଚମତ୍କାର ଖେଳ ପ୍ରଦର୍ଶନ କରି ବହୁ ପ୍ରତୀକ୍ଷିତ ବିଜୟ ପ୍ରଦାନ କରିଥିଲେ । ରଶ୍ମିତା ୬ମିନିଟ୍, ୨୩ ମିନିଟ୍, ୩୭ ମିନିଟ୍ ଏବଂ ୩୯ ମିନିଟ୍ରେ ୪ଟି ଗୋଲ୍ ଦେଇ ମହାରାଷ୍ଟ୍ରକୁ ସମ୍ପୂର୍ଣ୍ଣ ଭାବେ ଧରାଶାୟୀ କରି ଦେଇଥିଲେ । ସେହିପରି ଏଲିନ୍ ଲାକ୍ରା ୩୮ ମିନିଟ୍ ଓ ୫୬ ମିନିଟ୍ରେ ଅନ୍ୟ ଦୁଇଟି ଗୋଲ୍ ଦେଇ ଓଡ଼ିଶା ମହିଳା ପୋଲିସ୍କୁ ବିଜୟୀ କରିଥିଲେ ।
ଉଲ୍ଲେଖଯୋଗ୍ୟ ଯେ, ବେଙ୍ଗାଲୁରୁଠାରେ ଆୟୋଜିତ ସର୍ବ ଭାରତୀୟ ମହିଳା ହକି ଚାମ୍ପିୟନ୍ସିପ୍ରେ ସଶସ୍ତ୍ର ସୀମା ବଳ(ଏସ୍ଏସ୍ବି) ସିଆର୍ପିଏଫ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ହାସଲ କରିଛି ଏବଂ ସିଆର୍ପିଏଫ୍ ରନର୍ସ-ଅପ୍ ହୋଇ ରୌପ୍ୟ ପଦକ ହାସଲ୍ କରିବାରେ ସମର୍ଥ ହୋଇଛି ।
Powered by Froala Editor