ଜେ.ପି ନଡ୍ଡାଙ୍କୁ ସାକ୍ଷାତ କଲେ ରାଜ୍ୟ ସଭାପତି ସମୀର ମହାନ୍ତି
ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡାକୁ ନୂଆଦିଲ୍ଲୀଠାରେ ସାକ୍ଷାତ କରିଛନ୍ତି ରାଜ୍ୟ ସଭାପତି ସମୀର ମହାନ୍ତି । ସାଂପ୍ରତିକ ରାଜନୈତିକ ପରିସ୍ଥିତି, ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ମହିଳାଙ୍କୁ ନିର୍ଯାତନା ଓ ବିଭିନ୍ନ ପ୍ରସଙ୍ଗରେ ଶ୍ରୀ ନଡ୍ଡାଙ୍କ ସହିତ ଶ୍ରୀ ମହାନ୍ତି ଆଲୋଚନା କରିଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର କହିଛନ୍ତି ଯେ ରାଜ୍ୟରେ ଶାସକ ଦଳ ଏକଛତ୍ରବାଦ ଶାସନ ଚଳାଇଛନ୍ତି । ମହିଳା ଓ ଶିଶୁମାନେ ନିର୍ଯାତନାର ଶିକାର ହେଉଛନ୍ତି । ନୟାଗଡ଼ ଜିଲ୍ଲାର ପରୀ ଘଟଣା ସହିତ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ପାଇଁ ଦଳ ପକ୍ଷରୁ ଗତ ୨ମାସ ଧରି ଆନେ୍ଦାଳନ ଜାରି ରହିଛି । ଏହି ଦୁଇ ଘଟଣାରେ ମନ୍ତ୍ରୀ ଅରୁଣ ସାହୁ ଓ ଦିବ୍ୟଶଙ୍କର ମିଶ୍ର ସଂପୃକ୍ତ ରହିଛନ୍ତି ।
ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କେଳେଙ୍କାରୀରେ ପ୍ରତିବାଦ କରିବାରୁ ଦଳର ଦୁଇ କାର୍ଯ୍ୟକର୍ତାଙ୍କୁ ହତ୍ୟା କରାଯାଇଛି । ଏଥିରେ ଶାସକ ଦଳର ଅନ୍ୟ ଜଣେ ମନ୍ତ୍ରୀ ପ୍ରତାପ ଜେନା ଲିପ୍ତ ଅଛନ୍ତି । ଏହାସହ ଆଦିବାସୀ ଜିଲ୍ଲାର ବିକାଶ ପାଇଁ ଗଠନ ହୋଇଥିବା ଜିଲ୍ଲା ଖଣିଜ ପାଣ୍ଠିକୁ ବିନା ଟେଣ୍ଡରରେ ଦଳୀୟ କାମରେ ଲଗାଇ ସରକାରୀ ଦଳ ଅର୍ଥର ଅପବ୍ୟବହାର କରୁଛନ୍ତି । ସେହିପରି ଦଳର ସାଂଗଠନିକ କାର୍ଯ୍ୟର ଅଗ୍ରଗତି ସହିତ ଆଗାମୀ ଦିନରେ କିଭଳି ଦଳର ସଂଗଠନକୁ ତୃଣମୂଳସ୍ତରରେ ମଜଭୁତ କରିବା, କୋଭିଡ ସମୟରେ ଦଳ ପକ୍ଷରୁ ହୋଇଥିବା ସେବା କାର୍ଯ୍ୟ ସଂପର୍କରେ ଅବଗତ କରାଯାଇଛି ।
ଅପରପକ୍ଷରେ ରାଜ୍ୟରେ ସଂଗଠନ କାର୍ଯ୍ୟକୁ ମଜଭୁତ କରିବା ପାଇଁ ରାଷ୍ଟ୍ରୀୟ ସ୍ତରରୁ ସବୁପ୍ରକାର ସହଯୋଗ କରାଯିବ । ମୋଦୀ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟକୁ ଠିକ୍ ଭାବେ କ୍ରିୟାନ୍ୱୟନ କରିବା ପାଇଁ ତଦାରଖ କରିବାକୁ ରାଜ୍ୟ ସଭାପତିଙ୍କୁ ଶ୍ରୀ ନଡ୍ଡା କହିଥିବା ଦଳ ପକ୍ଷରୁ କୁହାଯାଇଛି ।
Powered by Froala Editor