୧୨ରୁ ୧୫ ମଧ୍ୟରେ ୭ଟି ଜିଲ୍ଲାରେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟକ୍ରମ
ଭୁବନେଶ୍ୱର: ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣିଥରେ ନିଜର ଜିଲ୍ଲା ଗସ୍ତ କାର୍ୟ୍ୟକ୍ରମକୁ ତ୍ୱରାନ୍ୱିତ କରିଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ କାର୍ଡ ବାଣ୍ଟିବା ସହ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ନିମନ୍ତେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତା ୧୨ରୁ ୧୫ ତାରିଖ ମଧ୍ୟରେ ୭ଟି ଜିଲ୍ଲାରେ ନିଜର କାର୍ୟ୍ୟକ୍ରମ ଚୂଡ଼ାନ୍ତ କରିଥିବା ଜଣାପଡ଼ିଛି।
ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୨ତାରିଖରେ ଗଞ୍ଜାମ ଜିଲ୍ଲା ଗସ୍ତରେ ଯାଇ ତାରାତାରିଣୀ ପୀଠ ନିକଟରେ ଆୟୋଜିତ ସରକାରୀ କାର୍ୟ୍ୟକ୍ରମରେ ଯୋଗଦେବେ। ସେଠାରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ ବାଣ୍ଟିବା ସହ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରାଇବେ । ସେହିପରି ୧୩ତାରିଖରେ ମୁଖ୍ୟମନ୍ତ୍ରୀ କଟକ ଓ ଖୋର୍ଦ୍ଧା ଜିଲ୍ଲାରେ ସ୍ମାର୍ଟ କାର୍ଡ ବଣ୍ଟନ କାର୍ୟ୍ୟକ୍ରମର ଶୁଭାରମ୍ଭ କରିବେ । ୧୪ ଓ ୧୫ ତାରିଖ ଦୁଇଦିନ ଧରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଜଗତସିଂହପୁର,କେନ୍ଦ୍ରାପଡ଼ା,ଯାଜପୁର ଓ ନୟାଗଡ଼ ଜିଲ୍ଲାରେ ମଧ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟକାର୍ଡ ବାଣ୍ଟିବା ସହ ଜିଲ୍ଲାଗୁଡ଼ିକୁ ବିଭିନ୍ନ ପ୍ରକଳ୍ପ ଭେଟିଦେବାର କାର୍ୟ୍ୟକ୍ରମ ରହିଛି।ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଏହି ୭ ଜିଲ୍ଲାରେ ଜୋରଦାର ପ୍ରସ୍ତୁତ ଆରମ୍ଭ ହୋଇଛି।
Powered by Froala Editor