ସଚ୍ଚୋଟତା: ସମୁଦ୍ରରେ ଭାସୁଥିବା ସାଢ଼େ ୭ କୋଟିର ଡ୍ରଗ୍ସ ଉଦ୍ଧାର କରି ପୁଲିସ୍କୁ ଦେଲେ

ଫ୍ଲୋରିଡା: ଦୁନିଆରେ ସମସ୍ତେ ଯେ ଲୋଭୀ ତାହା ଭାବିବା ଭୁଲ୍ । ଏବେ ବି କିଛି ଲୋକଙ୍କ ଭିତରେ ରହିଛି ସଚ୍ଚୋଟତା । ଯାହାର ଏକ ଉଦାହରଣ ଦେଖିବାକୁ ମିଳିଛି ଫ୍ଲୋରିଡାରେ । ଜଣେ ବ୍ୟକ୍ତି ସମୁଦ୍ରରେ ଭାସୁଥିବା ସାଢ଼େ ୭ କୋଟିର ଡ୍ରଗ୍ସ ଉଦ୍ଧାର କରିବା ପରେ ସିଧା ପୁଲିସ୍ ହାତକୁ ବଢ଼ାଇ ଦେଇଛନ୍ତି ।
ପୂରା ଘଟଣାଟି ଥିଲା ଏପରି...
ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ କିଛି ସମୟ ନିରୋଳାରେ ବିତାଇବାକୁ ସମୁଦ୍ର କୂଳକୁ ଯାଇଥିଲେ । ଏହି ସମୟରେ ସେ ଦେଖିଥିଲେ ଯେ ପାଣିରେ ଅନେକ ପ୍ୟାକେଟ୍ ଭାସୁଛି । ଏହାପରେ ସେ ଯଥାସମ୍ଭବ ପ୍ୟାକେଟ୍ ସଂଗ୍ରହ କରି କୂଳକୁ ଆଣିଥିଲେ । ପରେ ପ୍ୟାକେଟ୍ଗୁଡ଼ିକୁ ଯାଞ୍ଚ କରିବାକୁ ଚେଷ୍ଟା କରିଥିଲେ । କିନ୍ତୁ ପ୍ୟାକେଟଗୁଡ଼ିକ ଭଲ ଭାବରେ ସିଲ୍ ହୋଇଥିଲା । ବ୍ୟକ୍ତିଙ୍କ ମନରେ କୌଣସି ଲୋଭ ନଥିଲା । ସେ ତୁରନ୍ତ ପ୍ୟାକେଟଗୁଡ଼ିକୁ ପୁଲିସକୁ ଦେଇଥିଲେ ।
ଯେତେବେଳେ ପ୍ୟାକେଟଗୁଡ଼ିକ ଖୋଲାଯାଇଥିଲା ସମସ୍ତଙ୍କ ହୋସ୍ ଉଡ଼ି ଯାଇଥିଲା । କାରଣ ପ୍ୟାକେଟରେ ଡ୍ରଗ୍ସ ଥିଲା । ପ୍ୟାକେଟରେ ପ୍ରାୟ ୩୦ କିଲୋଗ୍ରାମ କୋକେନ ଥିଲା । ଯାହାର ବଜାର ମୂଲ୍ୟ ପ୍ରାୟ ସାଢେ ସାତ କୋଟି ଟଙ୍କା । ଉକ୍ତ ବ୍ୟକ୍ତିଙ୍କ ସଚ୍ଚୋଟତାକୁ ଦେଖି ପୁଲିସ ତାଙ୍କୁ ପ୍ରଶଂସା କରିଥିଲା । ତେବେ ସମୁଦ୍ରରେ ଏବେ କୋଟିର ଡ୍ରଗ୍ସ କିଏ ଓ କାହିଁକି ଫିଙ୍ଗିଛି ସେନେଇ ପୁଲିସ୍ ଏବେ ତଦନ୍ତ ଜାରି ରଖିଛି ।
Powered by Froala Editor