ଦେଶ ନିଜର ଜଣେ ସାହସୀ ପୁତ୍ରକୁ ହରାଇଛି:ରାଷ୍ଟ୍ରପତି
ନୂଆଦିଲ୍ଲୀ: ଭାରତର ପ୍ରଥମ ପ୍ରତିରକ୍ଷା ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ, ତାଙ୍କ ପତ୍ନୀ ଏବଂ ସେନାର ବହୁ ବରିଷ୍ଠ ଅଧିକାରୀଙ୍କୁ ନେଇ ବାୟୁସେନାର ଏକ ହେଲିକପ୍ଟର ତାମିଲନାଡୁର କୁନୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ପ୍ରତିରକ୍ଷା ଷ୍ଟାଫ୍ ଜେନେରାଲ୍ ବିପିନ ରାୱତ, ତାଙ୍କ ପତ୍ନୀ ଓ ଅନ୍ୟ ୧୧ ଜଣ ଅଧିକାରୀଙ୍କ ପରଲୋକ ଘଟିଛି। ଜେନେରାଲ୍ ରାୱତଙ୍କ ପରଲୋକରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଦେଶର ପ୍ରଥମ ପ୍ରତିରକ୍ଷା ଷ୍ଟାଫ୍ ମୁଖ୍ୟଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ହେବାକୁ ନେଇ ସହଜେ ବିଶ୍ୱାସ କରିହେଉ ନାହିଁ। ଯେଉଁ ହେଲିକପ୍ଟରରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଯାତ୍ରା କରିବାକୁ ସୁରକ୍ଷିତ ମଣିଥାନ୍ତି ଓ ଯେଉଁ ହେଲିକପ୍ଟର ପ୍ରତିକୂଳ ପାଣିପାଗରେ ମଧ୍ୟ ସୁରକ୍ଷିତ ଯାତ୍ରାର ଭରସା ଦେଇଥାଏ, ସେହି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଜେନେରାଲ୍ ରାୱତଙ୍କ ପରଲୋକରେ ରାଷ୍ଟ୍ରପତି ଗଭୀର ଶୋକ ପ୍ରକାଶ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ଟ୍ୱିଟ କରି କହିଛନ୍ତି, ଜେନେରାଲ ବିପିନ୍ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକା ଜିଙ୍କ ଅକାଳ ବିୟୋଗରେ ମୁଁ ଚକିତ ଓ କଷ୍ଟ ଅନୁଭବ କରୁଛି। ଦେଶ ନିଜର ଜଣେ ସାହସୀ ପୁତ୍ରକୁ ହରାଇଛି। ମାତୃଭୂମି ପାଇଁ ତାଙ୍କର ଚାରି ଦଶନ୍ଧିର ନିଃସ୍ୱାର୍ଥପର ସେବା ଅତୁଳନୀୟ ସାହସିକତା ଏବଂ ବୀରତ୍ୱରେ ପରିପୂର୍ଣ୍ଣ। ତାଙ୍କ ପରିବାର ପ୍ରତି ମୋର ସମବେଦନା। ଚପର ଦୁର୍ଘଟଣାରେ ପ୍ରାଣ ହରାଇବା ଜାଣିବା ମୋ ପାଇଁ ଗଭୀର ଯନ୍ତ୍ରଣାଦାୟକ। ମୁଁ ଦେଶର ପ୍ରତ୍ୟେକ ନାଗରିକଙ୍କ ସହ କର୍ତ୍ତବ୍ୟ ପାଳନ କରୁଥିବା ସମୟରେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ସମସ୍ତ ଅଧିକାରୀଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ହୃଦୟରୁ ସମବେଦନା ଜ୍ଞାପନ କରୁଛି।
Powered by Froala Editor