ଦୁର୍ଘଟଣାରେ ସିଡିଏସ ବିପିନ୍ ରାୱତଙ୍କ ପରଲୋକ, ଦେଶ ସ୍ତବ୍ଧ

ତାମିଲନାଡୁର କୁନ୍ନୁର ନିକଟରେ ଘଟିଥିବା ମର୍ମନ୍ତୁଦ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ ବିପିନ୍ ରାୱତଙ୍କର ପରଲୋକ ଘଟିଛି। ଦୁର୍ଘଟଣାରେ ଜେନେରାଲ୍ ରାୱତଙ୍କ ସହ ତାଙ୍କର ପତ୍ନୀ ମଧୁଲିକା ରାୱତ ଓ ଅନ୍ୟ ୧୧ ଜଣ ଅଧିକାରୀଙ୍କ ମଧ୍ୟ ମୃତ୍ୟୁ ହୋଇଛି। ସିଡିଏସ ରାୱତଙ୍କ ପରଲୋକରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି।
ଏ ସଂପର୍କରେ ଟୁଇଟ୍ କରି ସୂଚନା ଦେଇଛି ଭାରତୀୟ ବାୟୁସେନା। ଏହାକୁ ଏକ ଦୁର୍ଭାଗ୍ୟଜନକ ଘଟଣା ବୋଲି ଅଭିହିତ କରିଛି ବାୟୁସେନା। ସିଡିଏସ ରାୱତଙ୍କ ମୃତ୍ୟୁ ଖବର ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟମାନେ ଗଭୀର ଶୋକ ପ୍ରକଟ କରିଛନ୍ତି।
ୱିଲିଂଟନଠାରେ ଥିବା ଆର୍ମଫୋର୍ସର ଏକ କଲେଜରେ ମୁଖ୍ୟ ବକ୍ତାଭାବେ ଯୋଗଦେବାକୁ ସିଡିଏସ ବିପିନ ରାୱତ, ତାଙ୍କ କର୍ମଚାରୀ ଏବଂ ପରିବାର ସଦସ୍ୟମାନେ ମି-ସିରିଜ୍ ହେଲିକପ୍ଟରରେ ଯାଉଥିବା ବେଳେ କୋଏମ୍ବାଟୁର ଏବଂ ସୁଲୁର ମଧ୍ୟରେ ଥିବା ଏକ ସ୍ଥାନ କୁନୁରରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ୯ ଜଣ ଯାତ୍ରୀ ଏବଂ ପାଞ୍ଚ ଜଣ କ୍ରୁ ସଦସ୍ୟ ଥିଲେ।
Powered by Froala Editor