ରେପୋ ରେଟ୍ ୪%ରେ, ରିଭର୍ସ ରେପୋ ରେଟ୍ ୩.୩୫%ରେ ଅପରିବର୍ତ୍ତିତ

୪ ପ୍ରତିଶତ ରେପୋରେଟ ଅପରିବର୍ତ୍ତିତ ରଖିଛନ୍ତି ଭାରତୀୟ ରିଜର୍ଭ ବ୍ୟାଙ୍କ । ସେହିଭଳି ରିଭର୍ସ ରେପୋ ରେଟ୍ ମଧ୍ୟ ପୂର୍ବଭଳି ୩.୩୫% ରହିଛି । ରେପୋରେଟ ଅପରିବର୍ତ୍ତିତ ରଖିବା ଲାଗି ୬ ସଦସ୍ୟ ବିଶିଷ୍ଟ ଆର୍ଥିକ ନୀତି କମିଟି ବା ଏମପିସିର ସର୍ବସମ୍ମତି ନିଷ୍ପତ୍ତି ପରେ ଏହି ଘୋଷଣା କରାଯାଇଛି ବୋଲି କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଏମପିସି ବୈଠକରେ ମାର୍ଜିନାଲ ଷ୍ଟାଣ୍ଡିଂ ଫାସିଲିଟି ବା ଏମଏସଏଫରେ କୌଣସି ପରିବର୍ତ୍ତନ କରାଯାଇନାହିଁ ।
କୋଭିଡର ଦ୍ୱିତୀୟ ଲହର ପରବର୍ତ୍ତୀ ସମୟରେ ଦେଶରେ ଉପଭୋକ୍ତା ଚାହିଦାରେ ଉନ୍ନତି ଘଟୁଛି । ଏଥିସହିତ ଗ୍ରାମାଞ୍ଚଳରେ ଚାହିଦା ସ୍ଥିତିରେ ମଜଭୁତ ବୃଦ୍ଧି ସହିତ କୃଷି କ୍ଷେତ୍ରରେ ନିଯୁକ୍ତିରେ ବୃଦ୍ଧି ଘଟୁଛି । ତାହାସହିତ ରବି ଫସଲ ବୁଣାବୁଣି କ୍ଷେତ୍ରରେ ଆଶାନୁରପ ପ୍ରଗତି ଘଟିଛି । କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଖାଦ୍ୟଶସ୍ୟ ୨୦୨୨ ମାର୍ଚ୍ଚ ପର୍ଯ୍ୟନ୍ତ ଯୋଗାଇବାକୁ ଘୋଷଣା କରିବା ଦ୍ୱାରା ଦେଶର କୋଟି କୋଟି ପରିବାର ଏହାଦ୍ୱାରା ଉପକୃତ ହୋଇଛନ୍ତି । ଏସବୁକୁ ଦୃଷ୍ଟିରେ ରଖି ଆରବିଆଇ ତାହାର ଆର୍ଥିକ ନୀତି ଅପରିବର୍ତ୍ତିତ ରଖିଥିବା ଶ୍ରୀ ଦାସ କହିଛନ୍ତି । ଦେଶରେ ଆର୍ଥିକ ଅଭିବୃଦ୍ଧି ଜାରି ରଖିବା ଲାଗି ଏହି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଗଭର୍ଣ୍ଣର ।
Powered by Froala Editor