ଦକ୍ଷିଣ ଆଫ୍ରିକା ସ୍ଥିତି ଅତ୍ୟନ୍ତ ଜଟିଳ

ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାରେ ଅତ୍ୟନ୍ତ ଜଟିଳ ସ୍ଥିତି ଉପୁଜିଛି । ଓମିକ୍ରନ ପାଇଁ ଦକ୍ଷିଣ ଆଫ୍ରିକାରେ ଅଚାନକ ସଂକ୍ରମଣ ବୃଦ୍ଧି ହୋଇଛି ଏବଂ ଚତୁର୍ଥ ଲହର ଆସିଛି । ସଂକ୍ରମଣ ବୃଦ୍ଧି ସତ୍ତ୍ୱେ ଦକ୍ଷିଣ ଆଫି୍ରକାରେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢ଼ିନାହିଁ । କିନ୍ତୁ ଦକ୍ଷିଣ ଆଫ୍ରିକାରେ ଯେଉଁଭଳି ଭାବେ ସଂକ୍ରମଣ ବଢ଼ୁଛି ତାହା ଆଗକୁ ବିପଜ୍ଜନକ ସ୍ଥିତି ସୃଷ୍ଟି କରିପାରେ । ତେଣୁ କୌଣସି ଜଟିଳ ସ୍ଥିତିର ମୁକାବିଲା ପାଇଁ ଦକ୍ଷିଣ ଆଫ୍ରିକା ହସ୍ପିଟାଲ ପ୍ରସ୍ତୁତ ରଖୁଛି ବୋଲି ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା କହିଛନ୍ତି । ଦକ୍ଷିଣ ଆଫ୍ରିକାରେ ଗତ ସୋମବାର ଦିନ ଦୈନିକ ସଂକ୍ରମଣ ମାମଲା ୨୩୦୦ ଥିବାବେଳେ ଶୁକ୍ରବାର ଦିନ ଦୈନିକ ସଂକ୍ରମଣ ୧୬ ହଜାର ଉପରେ ରହିଥିଲା ।
ଦୈନିକ ସଂକ୍ରମଣ ମାମଲାରେ ଅଚାନକ ବୃଦ୍ଧି ହୋଇଛି । ଦକ୍ଷିଣ ଆଫ୍ରିକାର ୯ ପ୍ରଦେଶରେ ନୂଆ ମାମଲା ବଢ଼ିବାରେ ଲାଗିଛି । ରାମାଫୋସା ନାଗରିକମାନଙ୍କୁ ଟିକା ନେବାପାଇଁ ଅନୁରୋଧ କରିଛନ୍ତି । ରାଷ୍ଟ୍ରପତି ରାମାଫୋସା କହିଛନ୍ତି, ଓମିକ୍ରନ ପାଇଁ ଦେଶରେ ସଂକ୍ରମଣ ବଢ଼ୁଛି । କିନ୍ତୁ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢ଼ୁନାହିଁ ।
ଓମିକ୍ରନ ଭୟ ମଧ୍ୟରେ ଦକ୍ଷିଣ ଆଫ୍ରିକାରେ ୫ ବର୍ଷରୁ କମ ବୟସର ଶିଶୁଙ୍କ ମଧ୍ୟରେ ସଂକ୍ରମଣ ବଢ଼ୁଥିବାରୁ ଏହାକୁ ନେଇ ଚିନ୍ତା ପ୍ରକଟ ହୋଇଛି । ଦକ୍ଷିଣ ଆଫ୍ରିକାରେ ୧୨ ବର୍ଷରୁ କମ ବୟସର ଶିଶୁଙ୍କ ଟିକାକରଣ ପାଇଁ କୌଣସି ଟିକା ମଧ୍ୟ ଉପଲବ୍ଧ ନାହିଁ । ଦକ୍ଷିଣ ଆଫ୍ରିକାରେ ମୋଟ ସଂକ୍ରମଣ ମାମଲା ୩,୦୩୧,୬୯୪ ଥିବାବେଳେ କରୋନା ମୃତୁ୍ୟସଂଖ୍ୟା ୮୮,୫୧୯ ରହିଛି ।
Powered by Froala Editor