ରାତାରାତି ସମ୍ଭବ ନୁହେଁ, ବୁଷ୍ଟର ଡୋଜ୍ ପାଇଁ ଦରକାର ବ୍ୟାପକ ପ୍ରସ୍ତୁତି: ଡା. ଏନକେ ଅରୋରା
ନୂଆଦିଲ୍ଲୀ: ହୁ ହୁ ହୋଇ ମାଡିଆସିଲାଣି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଏହାକୁ ନେଇ ସାରା ଦେଶରେ ଭୟର ବାତାବରଣ ସୃଷ୍ଟିୁ ହୋଇଛି । ଭାରତରେ ଏଯାଏ ବିଧିବଦ୍ଧ ଭାବେ ଓମିକ୍ରନ ଭାରିଏଣ୍ଟ ଠାବ ହୋଇନଥିଲେ ମଧ୍ୟ ବିଦେଶରୁ ଅନେକ ଲୋକ ଫେରିଥିବାରୁ ଏହା ଚିନ୍ତାର କାରଣ ପାଲଟିଛି ।
ଏସବୁ ଭିତରେ କରୋନା ବିରୋଧୀ ଟିକାକରଣକୁ ନେଇ ବଡ ସୂଚନା ମିଳିଛି । ଭାରତରେ କରୋନାର ଓମିକ୍ରନ ଭାରିଏଣ୍ଟକୁ ମାତ ଦେବା ପାଇଁ ଖୁବଶୀଘ୍ର ବୁଷ୍ଟର ଡୋଜ୍ ଲୋକଙ୍କୁ ଦିଆଯାଇପାରେ । ତେବେ କେବଳ କିଛି ସ୍ୱତନ୍ତ୍ର ମାମଲାରେ ହିଁ ବୁଷ୍ଟର ଡୋଜ୍ର ବ୍ୟବହାର ହେବ । ଦେଶର କୋଭିଡ ଟାସ୍କ ଫୋର୍ସ ଅଧ୍ୟକ୍ଷ ଡା ଏନକେ ଅରୋରା ଏହି ସୂଚନା ଦେଇଛନ୍ତି ।
ବିଭିନ୍ନ ଦେଶରେ ଏବେ ବରିଷ୍ଠ ନାଗରିକମାନଙ୍କୁ ଟିକାର ବୁଷ୍ଟର ଡୋଜ୍ ଦିଆଯାଉଛି । ବିଶେଷ କରି ନୂଆ ଭାରିଏଣ୍ଟ ଆସିବା ପରେ ସମସ୍ତଙ୍କ ମନରେ ଛନକା ପଶିଛି । ଭାରତରେ ବୁଷ୍ଟର ଡୋଜ୍ର ବ୍ୟବହାର ସମ୍ପର୍କରେ ଡା ଅରୋରା କହିଛନ୍ତି, “ବୁଷ୍ଟର ଡୋଜ୍ର ଅର୍ଥ ୯୪ କୋଟି ଡୋଜ୍ । ଏହା କେବେ ହେଲେ ରାତାରାତି ସମ୍ଭବ ନୁହେଁ । ଏଥିପାଇଁ ଉପଯୁକ୍ତ ପ୍ରସ୍ତୁତି ଦରକାର ।” ତେବେ ଦେଶରେ କରୋନା ଟିକାର ଅଭାବ ନାହିଁ ବୋଲି ସେ ଦମ୍ଭୋକ୍ତି କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୧୨ରୁ ୧୫ କୋଟି ଲୋକ ଟିକାର ଗୋଟିଏ ହେଲେ ଡୋଜ୍ ନେଇନାହାନ୍ତି । ସେହିପରି ୩୦ କୋଟିରୁ ଅଧିକ ଲୋକ ଦ୍ୱିତୀୟ ଡୋଜ୍ ନେଇନାହାନ୍ତି । ଏ ସମ୍ପର୍କରେ ସେ କହିଛନ୍ତି, ସେମାନଙ୍କର ଟିକାକରଣ ଜରୁରୀ । ସେମାନଙ୍କୁ ଟିକା ନେବାକୁ ସବୁ ପ୍ରକାରର ବ୍ୟବସ୍ଥା ହେବା ଉଚିତ । ଏବେ ଦେଶରେ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାରର ଟିକା ଉପରେ ନୂଆ ଭାରିଏଣ୍ଟ କ’ଣ ପ୍ରଭାବ ପକାଉଛି, ତାହା ଜଣାପଡିନି । ଦେଶରେ ଥିବା ଲ୍ୟାବ ଗୁଡିକରେ ଏନେଇ ପରୀକ୍ଷା ଚାଲିଛି । ଆସନ୍ତା ୨ ସପ୍ତାହ ମଧ୍ୟରେ ସବୁ କିଛି ସ୍ପଷ୍ଟ ହୋଇ ପାରିବ ବୋଲି ସେ କହିଛନ୍ତି ।
Powered by Froala Editor