ଓମିକ୍ରମ ପାଇଁ ଗାଇଡଲାଇନ ବଦଳାଇଲେ କେନ୍ଦ୍ର ସରକାର
ଦକ୍ଷିଣ ଆଫ୍ରିକା ସମେତ ବିଭିନ୍ନ ଦେଶରେ ଲୋକେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ବାରା ଆକ୍ରାନ୍ତ ହେବା ପରେ ଏବେ ଭାରତବାସୀଙ୍କୁ ସତର୍କ ରହିବାକୁ କହିଛନ୍ତି ସରକାର। ଏହା ସହ ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନରେ କିଛି ପରିବର୍ତ୍ତନ ଆଣି ନୂଆ କରି ଏକ ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ପୁଣି ଥରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଚିଠି ଲେଖି ସତର୍କ କରାଇ ଦେଇଛି। ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମୁଖ୍ୟ ସଚିବ ଓ ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ । ରିସ୍କ ଥିବା ଦେଶରୁ ଆସୁଥିବା ଯାତ୍ରୀଙ୍କୁ ସ୍କ୍ରିନିଂ କରିବା ସହିତ ସେମାନେ ୧୪ ଦିନିଆ କ୍ୱାରେଣ୍ଟାଇନ୍ରେ ରହିବା ପାଇଁ ପରାମର୍ଶ ଦିଆଯାଇଛି। ସେହିପରି ହଟସ୍ପଟ୍ ଉପରେ ନଜର ରଖିବା ପାଇଁ କୁହାଯାଇଛି। ବିଶେଷ କରି ଯେଉଁ କ୍ଲଷ୍ଟରରେ ପଜିଟିଭ ହାର ଅଧିକ ରହୁଛି ସେହି ଅଞ୍ଚଳ ଗୁଡ଼ିକୁ ଅଧିକ ଦୃଷ୍ଟି ଦେବାକୁ କୁହାଯାଇଛି। ଉକ୍ତ ହଟସ୍କଟାରୁ ପଜିଟିଭ ସାମ୍ପୁଲ ସଂଗ୍ରହ କରି ବାୟୋ ଟେକ୍ନୋଲୋଜି ସହାୟତାରେ INSACOG ଲ୍ୟାବକୁ ପଠାଇବା ପାଇଁ କୁହାଯାଇଛି।
ଆନ୍ତର୍ଜାତୀୟ ଯାତ୍ରୀମାନଙ୍କ ଉପରେ କଡ଼ା ନଜର, ବର୍ଦ୍ଧିତ ପରୀକ୍ଷଣ, ହଟସ୍ପଟ୍ ଉପରେ ନଜର, ଜିନୋମ ସିକ୍ୟୁଏନସିଙ୍ଗ, ସ୍ୱାସ୍ଥ୍ୟ ଭିତ୍ତିଭୂମି ବୃଦ୍ଧି, ନୀରିକ୍ଷଣ ପଦକ୍ଷେପ ବୃଦ୍ଧି ଏବଂ କରୋନା ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ରାଜ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।
ସୂଚନା ଯେ, ଦକ୍ଷିଣ ଆଫ୍ରିକାରୁ ମିଳିଥିବା ଏହି ନୂଆ ଭାରିଏଣ୍ଟ ବୋସୱାନା, ହଂକଂ, ଇସ୍ରାଏଲ ଏବଂ ବେଲ୍ଜିୟମ ଆଦି ୫ଟି ଦେଶକୁ ଏହା ବ୍ୟାପି ସାରିଲାଣି। ସାର୍ସ କୋଭ୍-୨ ଭାଇରସ୍ ଉପରେ ଗବେଷଣା କରୁଥିବା ଟେକନିକାଲ୍ ଆଡଭାଇଜରି ଗ୍ରୁପ୍ର ଭର୍ଚୁଆଲ ମିଟିଂରେ ଏହି ଭ୍ୟାରିଏଣ୍ଟର ନାମକରଣ ‘ଓମିକ୍ରନ’ କରାଯାଇଛି।
Powered by Froala Editor