ବର୍ଷାରେ ବେହାଲ ତାମିଲନାଡୁ : ୮ ମୃତ, ଅନେକ ନିଖୋଜ
ତାମିଲନାଡୁରେ ବର୍ଷା ବିତ୍ପାତ ଯୋଗୁଁ ଜନଜୀବନ ବେହାଲ ହୋଇପଡିଛି । ଚେନ୍ନାଇରେ ରାଜ୍ୟ ରାଜସ୍ୱ ଏବଂ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ କେକେଏସଏସଆର ରାମଚନ୍ଦ୍ରନ କହିଛନ୍ତି ପ୍ରବଳ ବର୍ଷା ହେତୁ ଦୁଇ ଦିନରେ ୮ ଜଣଙ୍କର ମୃତ୍ୟୁ ଘଟିଛି । ଏବେ ବି ବିଭିନ୍ନ ସ୍ଥାନରେ ଅନେକ ଲୋକ ନିଖୋଜ ରହିଛନ୍ତି। ଚିଙ୍ଗଲେପେଟରେ ଏବଂ ଗୋଟିଏ କାଞ୍ଚିପୁରମରେ ଏନଡିଆରଏଫର ଦୁଇଟି ଟିମ୍ ନିୟୋଜିତ କରାଯାଇଛି । ସେହିପରି ବର୍ଷା ଯୋଗୁ ୨୩ଟି ଜିଲ୍ଲାରେ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା କରାଯାଇଛି।
ତାମିଲନାଡୁର ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ବନ୍ୟା ଭଳି ସ୍ଥିତି ସୃଷ୍ଟି ହୋଇଛି। ଏହି କାରଣରୁ ଉଭୟ ରାଜ୍ୟ ତଥା ଏହାର ଆଖପାଖ ଜିଲ୍ଲାର ଉପକୂଳବର୍ତ୍ତୀ ଜିଲ୍ଲା ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ଚେନ୍ନାଇର ୨୨୦ଟି ସ୍ଥାନରେ ପାଣି ଜମି ରହିଥିବା ଖବର ମିଳିଛି। ପ୍ରଶାସନ ଏଯାଏ କେବଳ ୩୪ଟି ସ୍ଥାନରୁ ଜଳ ନିଷ୍କାସନ କରିବାରେ ସକ୍ଷମ ହୋଇଛି। ୧୨୭ଟି ସ୍ଥାନରେ ପମ୍ପ ଯୋଗେ ପାଣିକୁ ବାହାର କରିବା ପାଇଁ ପ୍ରଶାସନ ଉଦ୍ୟମ କରୁଛି। ପାଣି ଜମି ରହିଥିବାରୁ ଚେନ୍ନାଇର ଅଧିକାଂଶ ସ୍ଥାନ ଅନ୍ଧାରରେ ରହିଛି।
ବାଜୁଲ୍ଲା ରୋଡ, ଉସମାନ ରୋଡ, ଗିରିଆପ୍ପା ରୋଡ, ପେରୁବାକ୍କାମର କିଛି ଅଂଶ, ଅଜିଜ ନଗର ଓ କେକେ ନଗରରେ ବିଦ୍ୟୁତ ଯୋଗାଣ ବନ୍ଦ ରହିଛି। ଏଠାରେ ବିଜୁଳି ଯୋଗାଣ କରିବାକୁ ପ୍ରଶାସନ ଉଦ୍ୟମ ଆରମ୍ଭ କରିଛି। ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୟୁନିଅନ ଟେରିଟୋରୀ ଅଫ୍ ପୁଡୁଚେରୀ ମଧ୍ୟ ସମସ୍ତ ସ୍କୁଲ ଏବଂ କଲେଜ ପାଇଁ ଦୁଇ ଦିନ ଛୁଟି ଘୋଷଣା କରିଛି।
Powered by Froala Editor