ନୌସେନାରେ ସାମିଲ ହେଲା INS ଭେଲା
ଭାରତୀୟ ନୌସେନାରେ ସାମିଲ ହେଲା ଚତୁର୍ଥ ସ୍କର୍ପିଅନ ଶ୍ରେଣୀର ବୁଡାଜାହାଜ INS ଭେଲା । ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହଙ୍କ ଉପସ୍ଥିତିରେ ମୁମ୍ବଇସ୍ଥିତ ନୌବାହିନୀ ଡକୟାର୍ଡରେ ଏହି ବୁଡାଜାହାଜକୁ ଆନୁଷ୍ଠାନିକ ଭାବରେ ନୌସେନାରେ ସାମିଲ କରାଯାଇଛି।
ଏହାକୁ ମୁମ୍ବାଇର ମାଜଗା ଡକ୍ ଶିପ୍ ବିଲ୍ଡର୍ସ ଲିମିଟେଡ୍ (MDL )ଦ୍ୱାରା ଫ୍ରାନ୍ସ ନାଭାଲ୍ ଗ୍ରୁପର ଟେକ୍ନୋଲୋଜି ସହାୟତାରେ ନିର୍ମାଣ କରାଯାଇଛି। ଦୁଇ ବର୍ଷରୁ ଅଧିକ ପରୀକ୍ଷଣ ପରେ ଆଜି INS ଭେଲାକୁ ଲଞ୍ଚ କରାଯାଇଛି। ଏହାର ଲମ୍ବ ୨୨୧ ଫୁଟ, ଉଚ୍ଚତା ୪୦ ଫୁଟ ଏବଂ ଓଜନ ୧୫୬୫ ଟନ୍ ରହିଛି। INS ଭେଲାରେ ଯନ୍ତ୍ରପାତି ସ୍ଥାପନ ପାଇଁ ପ୍ରାୟ ୧୧ କିଲୋମିଟର ପାଇପ୍ ଏବଂ ୬୦ କିଲୋମିଟର କେବୁଲ୍ ଫିଟିଙ୍ଗ୍ କରାଯାଇଛି।
ମେ ୨୦୧୯ରେ ଭାରତ ପ୍ରଥମେ ଏହାକୁ ପରୀକ୍ଷା କରିଥିଲା। ଶତ୍ରୁ ସହିତ ମୁକାବିଲା କରିବାରେ INS ଭେଲା ଏହାର ଅତ୍ୟାଧୁନିକ ଯୁଦ୍ଧ କ୍ଷମତା ପାଇଁ ପରିଚିତ। ଏହି ଡିଜେଲ-ଇଲେକ୍ଟ୍ରିକ୍ ସ୍କର୍ପିନ୍ ଶ୍ରେଣୀର ବୁଡ଼ାଜାହାଜ ଆଣ୍ଟି-ସର୍ଫେସ୍ ଯୁଦ୍ଧ, ଆଣ୍ଟି-ସବ୍-ମ୍ୟାରିନ୍ ଯୁଦ୍ଧ, ଗୁଇନ୍ଦା ତଥ୍ୟ ସଂଗ୍ରହ, ନୀରିକ୍ଷଣ ଭଳି ଅନେକ ମିଶନକୁ ରୂପ ଦେଇପାରେ। ଏଥିରେ ଟପ୍ ସାଇଲେନ୍ସିଂ ଟେକନିକ୍, ନିମ୍ନ ବିକିରଣ ଶବ୍ଦସ୍ତର, ହାଇଡ୍ରୋ-ଡାଇନାମିକ୍ ଆକୃତି, ଗାଇଡେଡ୍ ଅସ୍ତ୍ର ବ୍ୟବହାର କରି ଶତ୍ରୁ ଉପରେ ଆକ୍ରମଣ କଲା ଭଳି ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରାଯାଇଛି।
Powered by Froala Editor