ଗୌତମଙ୍କୁ ପାକିସ୍ତାନରୁ ଆସିଥିଲା ଧମକପୂର୍ଣ୍ଣ ଇ-ମେଲ୍
‘ବିଜେପି’ର ଦିଲ୍ଲୀ ସାଂସଦ ତଥା ପୂର୍ବତନ କ୍ରିକେଟ୍ ଖେଳାଳି ଗୌତମ ଗମ୍ଭୀରଙ୍କ ପାଖକୁ ଦୁଇଥର ହତ୍ୟା ଧମକ ଆସିଥିଲା। ପ୍ରଥମ ଗତ ମଙ୍ଗଳବାର ବିଳମ୍ବିତ ରାତି ଆସିଥିବା ବେଳେ ଦ୍ବିତୀୟ ଧମକ ଗତ ବୁଧବାର ଦ୍ବିପହର ସମୟରେ ଇମେଲ ଜରିଆରେ ଆସିଥିଲା। ତେବେ ସିଷ୍ଟମର ଆଇପି ଆଡ୍ରେସ୍ ମାଧ୍ୟମରୁ ଏହି ଇ-ମେଲ୍ ପାକିସ୍ତାନରୁ ଆସିଥିବା ଜଣାପଡିଛି। କୁହାଯାଉଛି ଯେ, ଦିଲ୍ଲୀ ପୁଲିସ ଗୁଗୁଲ୍ରୁ ଏହି ତଥ୍ୟ ମାଗିଥିଲା। ମେଲ ପଠାଇଥିବା ବ୍ୟକ୍ତିଙ୍କ ପରିଚୟ ଜଣାପଡ଼ିଛି। ଗୌତମଙ୍କୁ ସାହିଦ ହମିଦ ନାମକ ଆକାଉଣ୍ଟରୁ ଏହି ହତ୍ୟା ଧମକ ଆସିଥିଲା। ଏହି ଘଟଣାର ଦିଲ୍ଲୀ ପୁଲିସ ଯାଞ୍ଚ କରୁଥିବା ବେଳେ ଅନ୍ୟ ଏଜେନ୍ସି ବି ଏନେଇ କାମ କରୁଛନ୍ତି।
ଦୁଇଦୁଇଥର ଗୌତମଙ୍କୁ ହତ୍ୟା ଧମକ ମିଳିବା ପରେ କେନ୍ଦ୍ରାଞ୍ଚଳ ‘ଡିସିପି’ ଶ୍ବେତା ଚୌହାନ କହିଛନ୍ତି, ଏ ସଂକ୍ରାନ୍ତରେ ତଦନ୍ତ ଚାଲିଛି। ଗମ୍ଭୀରଙ୍କ ରାଜେନ୍ଦ୍ର ନଗର ବାସଭବନ ବାହାରେ ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।
କେବଳ ଗୌତମ ଗମ୍ଭୀର ନୁହେଁ, ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ନାଁରେ ଅନେକ ଲୋକଙ୍କୁ ଧମକପୂର୍ଣ୍ଣ ଇ-ମେଲ ପଠାଯାଇଥିଲା। ଦିଲ୍ଲୀ ପୁଲିସ ଏହି ପୂରା ଘଟଣାର ତଦନ୍ତ କରୁଛି।
Powered by Froala Editor