ଯାତ୍ରା ଅପେରା ଓ ଡ୍ରାମା, ମେଲୋଡିକୁ ଅନୁମତି, ରହିଛି ଏହି ସବୁ ଗାଇଡଲାଇନ୍
ଭୁବନେଶ୍ୱର: କୋଭିଡ୍ କାରଣରୁ ଦୀର୍ଘ ଦିନ ହେଲା ରାଜ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ହୋଇ ରହିଥିଲା। ଏହି କାରଣରୁ ଯାତ୍ରା କଳାକାର ମଧ୍ୟ ରାସ୍ତାକୁ ଓହ୍ଲାଇଥିଲେ । ସରକାର କଳାକାରଙ୍କ ଦୁଃଖ ବୁଝିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଅନୁମତି ଦେବାକୁ ସେମାନେ ଦାବି କରିଥିଲେ।
ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଉଥିବାବେଳେ ଧୀରେଧୀରେ କଟକଣା ମଧ୍ୟରେ ସବୁ ଖୋଲିଲାଣି। ତେବେ ଏହାରି ଭିତରେ ଆଜି ଯାତ୍ରା ଅପେରା ଓ ଡ୍ରାମା, ମେଲୋଡିକୁ ଅନୁମତି ମିଳିଛି । ଏହା ସହିତ ଶାସ୍ତ୍ରୀୟ ନୃତ୍ୟ, ସାଂସ୍କୃତିକ ପ୍ରତିଯୋଗିତାକୁ ମଧ୍ୟ ରାଜ୍ୟ ସରକାର ଅନୁମତି ପ୍ରଦାନ କରିଛନ୍ତି । ତେବେ ଏଥିପାଇଁ ଏସଆରସିଙ୍କ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି ।
ଜାରି ହୋଇଥିବା ନୂଆ ଗାଇଡଲାଇନ୍ ଅନୁସାରେ କେବଳ ୫୦% ଦର୍ଶକଙ୍କୁ ନେଇ ଏଗୁଡିକ ଅନୁଷ୍ଠିତ ହେବ। ଆବଦ୍ଧ କୋଠରୀ ଭିତରେ କେବଳ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ମେଲୋଡି, ଯାତ୍ରା, ଅପେରା କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ। ପ୍ରତ୍ୟେକ ଦର୍ଶକ ନିଜ ନିଜ ଭିତରେ ସାମାଜିକ ଦୂରତା ରକ୍ଷା କରିବେ। ସିଟ୍ ଗୁଡିକ ଭିତରେ ଅତି କମରେ ୬ ଫୁଟର ଦୂରତା ରହିବ ବୋଲି ଗାଇଡଲାଇନରେ ଉଲ୍ଲେଖ କରାଯାଇଛି। ଏହି ସବୁ କାର୍ଯ୍ୟକ୍ରମରେ ଖୋଲାପଡିଆରେ ସାମାଜିକ ଦୂରତା ରଖି କେବଳ ୨ ହଜାର ଲୋକ ଅଂଶଗ୍ରହଣ କରିପାରିବେ।
ତେବେ ଯାତ୍ରା, ଅପେରା ଦେଖିବାକୁ ହେଲେ ଦର୍ଶକଙ୍କୁ କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବାକୁ ପଡିବ। ନଚେତ୍ ୭୨ ଘଣ୍ଟା ଭିତରେ ଦର୍ଶକଙ୍କୁ କୋଭିଡ୍ ନେଗେଟିଭ ଆରଟିିପିସିଆର୍ ରିପୋର୍ଟ ଦେଖାଇବାକୁ ପଡିବ। ଏହି ସବୁ କାର୍ଯ୍ୟକ୍ରମରେ ୬୫ ବର୍ଷରୁ ଅଧିକ ବୟସର ଲୋକ , ଅସୁସ୍ଥ ଲୋକ ଓ ଗର୍ଭବତୀ ମହିଳାଙ୍କୁ ଯୋଗ ଦେବାକୁ ବାରଣ କରାଯାଇଛି । ଅନ୍ୟପଟେ ମେଲୋଡି, ଯାତ୍ରା ଆଦି କାର୍ଯ୍ୟକ୍ରମରେ ଗୁଟୁଖା ଖାଇବାକୁ ମଧ୍ୟ ମନା କରାଯାଇଛି ।
Powered by Froala Editor