ନବୀନ-ଜଗନ ଭେଟ : ଜଳ ସମ୍ପଦ, ସୀମା ବିବାଦ, ଶକ୍ତି, ନକ୍ସଲ ପ୍ରସଙ୍ଗରେ ଆଲୋଚନା
ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୨ ରାଜ୍ୟ ଭିତରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି । ଲୋକସେବା ଭବନରେ ଜଳ ସମ୍ପଦ, ସୀମା ବିବାଦ, ଶକ୍ତି ସହ ନକ୍ସଲ ପ୍ରସଙ୍ଗରେ ଆଲୋଚନା ହୋଇଛି । ଦୁଇ ରାଜ୍ୟ ସରକାର କୋଟିଆ ଗ୍ରାମପୁଞ୍ଜ, ନେରେଡ଼ି ବ୍ୟାରେଜ, ଝଞ୍ଜାବତୀ ଜଳଭଣ୍ଡାର, ପୋଲାଭରମ, ବାହୁଡ଼ା ନଦୀରୁ ଜଳ ଛାଡ଼ିବା, ଜଳବିଦ୍ୟୁତ ଉତ୍ପାଦନ ହେଉଥିବା ବାଲିମେଳା ଓ ଉପର ସିଲେର ପାଇଁ ମିଳିତ ଅନାପତ୍ତି ପ୍ରମାଣପତ୍ର ନିମନ୍ତେ ଏକାଠି କାମ କରିବାକୁ ସହମତି ହୋଇଛନ୍ତି। ସେହିପରି ମାଓବାଦୀ ସମସ୍ୟା ଓ ଗଞ୍ଜେଇ ଚାଷ ସମସ୍ୟାର ମୁକାବିଲା ପାଇଁ ଦୁଇ ରାଜ୍ୟ ସରକାର ପରସ୍ପରକୁ ସହଯୋଗର ପ୍ରତିଶ୍ରୁତି ଦେଇଛନ୍ତି।
ଏସବୁ ବ୍ୟତୀତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ତେଲଗୁ ଭାଷାକୁ ପ୍ରୋତ୍ସାହିତ କରିବା ନିମନ୍ତେ ଏକ ତେଲଗୁ ଭାଷା ଚେୟାର ସ୍ଥାପନ ଓ ଅନୁରୂପ ଭାବେ ଶ୍ରୀକାକୁଲମସ୍ଥିତ ବିଆର ଆମ୍ବେଦକର ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଭାଷା ଚେୟାର ପ୍ରତିଷ୍ଠା କରିବାକୁ ଦୁଇ ରାଜ୍ୟ ସରକାର କାମ କରିବେ । ସେହିପରି ଦୁଇ ରାଜ୍ୟର ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଥିବା ସ୍କୁଲଗୁଡ଼ିକରେ ଭାଷାଭିତ୍ତିକ ଶିକ୍ଷକ ନିଯୁକ୍ତି, ପାଠ୍ୟପୁସ୍ତକ ଯୋଗାଣ, ଭାଷା ପରୀକ୍ଷା କରାଇ ଭାଇଚାରାକୁ ପ୍ରୋତ୍ସାହିତ କରାଯିବ । ସଂଘୀୟ ବ୍ୟବସ୍ଥାକୁ ସମ୍ମାନ ଦେଇ ଦୁଇ ରାଜ୍ୟ ଏକାଠି ବୁଝାମଣାର ସହ କାମ କରିବେ । ଓଡ଼ିଶା ଓ ଆନ୍ଧ୍ରପ୍ରଦେଶର ମୁଖ୍ୟ ଶାସନ ସଚିବ ୨ ରାଜ୍ୟ ମଧ୍ୟରେ ଥିବା ବିଭିନ୍ନ ବିବାଦର ସମାଧାନ ପାଇଁ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଉଚ୍ଚସ୍ତରୀୟ କମିଟି କରାଯିବ ।
Powered by Froala Editor