୪୬୪ ଟଙ୍କାରେ କବାଡ଼ିଆକୁ ବିକି ଦେଲେ ୟୁପିଏସସି ସ୍ୱପ୍ନ
ଦେଶର ସବୁଠାରୁ କଠିନ ପରୀକ୍ଷା ମଧ୍ୟରୁ ଗୋଟିଏ ୟୁପିଏସସି ପାସ୍ କରିବାର ସ୍ୱପ୍ନ। ଶେଷରେ ନିଜର ବର୍ଷ ବର୍ଷର ପ୍ରସ୍ତୁତି ସାମଗ୍ରୀକୁ ମାତ୍ର ୪୬୪ ଟଙ୍କାରେ କବାଡ଼ିଆକୁ ବିକି ଦେଲେ ଜଣେ ୨୬ ବର୍ଷୀୟ ୟୁପିଏସସି ଆଶାୟୀ। ଏହା କେବଳ କିଛି ପୁରୁଣା ବହି ବିକ୍ରିର କାହାଣୀ ନୁହେଁ। ବହିଗୁଡ଼ିକ ସହ ଯୋଡିହୋଇ ରହିଥିଲା ତାଙ୍କର ବର୍ଷ ବର୍ଷର ପରିଶ୍ରମ ।
ଏନସିଇଆରଟି ବହିଠାରୁ ଆରମ୍ଭ କରି ଲକ୍ଷ୍ମୀକାନ୍ତ ବହି, ପୁରୁଣା ଟେଷ୍ଟ ପେପର ଓ ହାତଲେଖା ନୋଟ୍ ସବୁକିଛି କବାଡ଼ିଆକୁ ଦେଇଦେଲେ। ତାଙ୍କ କହିବା ଅନୁସାରେ, ଏହି ବହିଗୁଡ଼ିକରେ ଥିଲା ଭୋର ୪ଟା ପର୍ଯ୍ୟନ୍ତ କରାଯାଇଥିବା ପଢ଼ା ଓ ଅସଂଖ୍ୟ ଉତ୍ତରକୁ ବାରମ୍ବାର ସୁଧାରିବାର ସ୍ମୃତି। କବାଡ଼ିଆ ସମସ୍ତ ବହି ଓ କାଗଜର ଓଜନ କରି ତାଙ୍କୁ ୪୬୪ ଟଙ୍କା ଦେଇଥିଲେ। ପାଖରେ ଥିବା ଜଣେ ବ୍ୟକ୍ତି ଆଉ ୧୦୦-୨୦୦ ଟଙ୍କା ଅଧିକ ପାଇପାରିଥାନ୍ତେ ବୋଲି କହିଥିଲେ। କିନ୍ତୁ ଆଶାୟୀଙ୍କ ମନରେ ଆଉ ଦରଦାମ କରିବାର ଇଚ୍ଛା ନଥିଲା। ଏହାଠାରୁ ଅଧିକ ଭାବପ୍ରବଣ କଥା ହେଉଛି, ସେହି ୪୬୪ ଟଙ୍କା ମଧ୍ୟ ସେ ନିଜ ପାଖରେ ରଖିନଥିଲେ। ସମ୍ପୂର୍ଣ୍ଣ ଟଙ୍କାକୁ ଏକ ମନ୍ଦିରରେ ଦାନ କରିଦେଲେ।
ଏହି ଆଶାୟୀ ୨୦୨୨ରେ ଗ୍ରାଜୁଏସନ୍ ସାରିବା ପରେ ଏକ ଭଲ ଦରମାର ଚାକିରି ସୁଯୋଗ ଛାଡ଼ି ୟୁପିଏସସି ପ୍ରସ୍ତୁତିରେ ଲାଗିଥିଲେ। ୨୦୨୩, ୨୦୨୪ ଓ ୨୦୨୫ରେ ସେ ମେନ୍ସ ପରୀକ୍ଷା ଦେଇଥିଲେ। କିନ୍ତୁ ଚଳିତ ବର୍ଷ ପ୍ରିଲିମ୍ସ ମଧ୍ୟ ପାସ୍ କରିପାରିନଥିବାରୁ ଶେଷରେ ପ୍ରସ୍ତୁତି ଛାଡ଼ିବାକୁ ନିଷ୍ପତ୍ତି ନେଲେ। ସୋସିଆଲ ମିଡିଆରେ ତାଙ୍କ କାହାଣୀ ଭାଇରାଲ ହେବା ପରେ ଅନେକ ଲୋକ ଭାବପ୍ରବଣ ହୋଇଛନ୍ତି।
Powered by Froala Editor