ଭିକ ମାଗି ଚଳୁଥିଲେ, ମୃତ୍ୟୁ ପରେ ଘର କୋଣରୁ ମିଳିଲା ୩୦ ବସ୍ତା ଟଙ୍କା
କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଭିକ୍ଷାବୃତ୍ତି କରି ଗୁଜରାଣ ମେଣ୍ଟାଉଥିବା ହୁର ଉନ୍ନିସା ନାମ୍ନୀ ବୃଦ୍ଧାଙ୍କ ମୃତ୍ୟୁ ପରେ ତାଙ୍କ ଘରୁ ୩୦ରୁ ଅଧିକ ପ୍ଲାଷ୍ଟିକ୍ ବସ୍ତାରେ ଭର୍ତ୍ତି ଲକ୍ଷ ଲକ୍ଷ ଟଙ୍କାର ନୋଟ୍ ଓ ମୁଦ୍ରା ଜବତ କରାଯାଇଛି ।
ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ହେତୁ ବୃଦ୍ଧାଙ୍କର ପରଲୋକ ଘଟିଥିଲା । ମୃତ୍ୟୁ ଖବର ପାଇ ସ୍ଥାନୀୟ ଲୋକେ ଓ କିଛି ସମ୍ପର୍କୀୟ ତାଙ୍କ ଘରେ ପହଞ୍ଚିଥିଲେ । ଅନ୍ତିମ ସଂସ୍କାର ପରେ ଘରର ସଫେଇ ଓ ତଲାସି ନେବା ସମୟରେ ଉପସ୍ଥିତ ଲୋକଙ୍କ ଆଖି ଖୋସି ହୋଇଯାଇଥିଲା । ଘରର ସବୁ କୋଣରେ ଗଦା ହୋଇ ରହିଥିଲା ପ୍ଲାଷ୍ଟିକ୍ ବସ୍ତା । ବସ୍ତାଗୁଡ଼ିକ ଖୋଲିବାରୁ ସେଥିରୁ ୧୦, ୨୦ ଓ ୫୦ ଟଙ୍କିଆ ନୋଟ୍ ସହ ଗଦା ଗଦା କଏନ୍ ବାହାରିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ କ୍ରମାଗତ କେତେକ ଘଣ୍ଟା ଧରି ଟଙ୍କା ଗଣାଯିବା ପରେ ପ୍ରାୟ ୮ରୁ ୯ ଲକ୍ଷ ଟଙ୍କା ଗଣା ସରିଛି । ଏବେ ବି ପ୍ରାୟ ୨୦ରୁ ଅଧିକ ବସ୍ତାରେ ଥିବା ଟଙ୍କା ଗଣତି ହେବା ବାକି ରହିଛି ।
ମାଣ୍ଡ୍ୟା ଜିଲ୍ଲାର ଗୁଥାଲୁ ଅଞ୍ଚଳରେ ରହୁଥିଲେ ହୁର ଉନ୍ନିସା । ଦୀର୍ଘ ବର୍ଷ ଧରି ସେ ସ୍ଥାନୀୟ ଅଞ୍ଚଳରେ ଭିକ୍ଷାବୃତ୍ତି କରି ନିଜର ପେଟ ପୋଷୁଥିଲେ । ପୂର୍ବରୁ ସେ ନିଜ ଭଉଣୀଙ୍କ ସହ ଏକ ଭଡ଼ା ଘରେ ରହୁଥିଲେ । ଦୁଇ ଭଉଣୀ ଅବିବାହିତ ଥିବା ବେଳେ ପ୍ରାୟ ଦୁଇ ବର୍ଷ ପୂର୍ବେ ଭଉଣୀଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ହୁର ଉନ୍ନିସା ସମ୍ପୂର୍ଣ୍ଣ ଏକାକୀ ହୋଇପଡ଼ିଥିଲେ ।
ଉଦ୍ଧାର ହୋଇଥିବା ଏହି ବିପୁଳ ପରିମାଣର ଅର୍ଥକୁ ସୁରକ୍ଷା ଦୃଷ୍ଟିରୁ ବର୍ତ୍ତମାନ ଗୁଥାଲୁ ଅଞ୍ଚଳର ସ୍ଥାନୀୟ ମସଜିଦ୍ କମିଟିର ହେପାଜତରେ ରଖାଯାଇଛି ।
Powered by Froala Editor