୬୨ ପ୍ରତିଶତ ଜେନ୍-ଜି ଅବସର ପାଇଁ ନିବେଶ କରୁଛନ୍ତି
ଆଜିର ଯୁବପିଢ଼ି ଅର୍ଥାତ୍ 'ଜେନ୍-ଜି' ମାତ୍ର ୨୯ ବର୍ଷ ବୟସରୁ ହିଁ ଅବସର ପାଇଁ ଟଙ୍କା ସଞ୍ଚୟ ଏବଂ ନିବେଶ କରିବା ଆରମ୍ଭ କରିଦେଉଛନ୍ତି । ଜୀବନ ବୀମା କମ୍ପାନୀ 'ଆକ୍ସିସ୍ ମ୍ୟାକ୍ସ ଲାଇଫ୍' ର IRIS 6.0 ରିପୋର୍ଟରୁ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି । ଜୁଲାଇ-ଅଗଷ୍ଟ ୨୦୨୬ ମଧ୍ୟରେ ୪୦ଟି ସହରର ୪,୧୩୪ଟି ପରିବାରର ୨୫ରୁ ୬୫ ବର୍ଷ ବୟସ୍କ କାର୍ଯ୍ୟରତ ବ୍ୟକ୍ତିଙ୍କ ମଧ୍ୟରେ ଏହି ସର୍ଭେ କରାଯାଇଥିଲା। ରିପୋର୍ଟ ଅନୁଯାୟୀ, ଏହା ବ୍ୟତୀତ ୭୦ ପ୍ରତିଶତ ସହରୀ ଭାରତୀୟ ଆର୍ଥିକ ସ୍ୱାଧୀନତା ପାଇ ନିର୍ଦ୍ଧାରିତ ବୟସ ପୂର୍ବରୁ କାମରୁ ଅବସର ନେବାକୁ ଚାହୁଛନ୍ତି ।
୭୦ ପ୍ରତିଶତ ଲୋକ କହିଛନ୍ତି ଯେ, ଯଦି ସେମାନଙ୍କର ଆର୍ଥିକ ଆବଶ୍ୟକତା ପୂରା ହୋଇଯାଏ, ତେବେ ସେମାନେ ନିର୍ଦ୍ଧାରିତ ବୟସ ପୂର୍ବରୁ କାମରୁ ଅବସର ନେବାକୁ ପସନ୍ଦ କରିବେ । ଏଥିମଧ୍ୟରୁ ପ୍ରାୟ ଅଧା ଲୋକ ୫୦ ବର୍ଷ ବୟସ ପୂର୍ବରୁ 'FIRE' (Financial Independence, Retire Early) ଅର୍ଥାତ୍ ଆର୍ଥିକ ସ୍ୱାଧୀନତା ଏବଂ ଶୀଘ୍ର ଅବସର ହାସଲ କରିବାକୁ ଚାହୁଛନ୍ତି ।
ପୁରୁଣା ପିଢ଼ିର ଅର୍ଥାତ୍ 'ଜେନ୍ ଏକ୍ସ' ର ୯୧ ପ୍ରତିଶତ ଲୋକ ଆଜି ଅନୁତାପ କରୁଛନ୍ତି ଯେ, ସେମାନେ ଯୁଦ୍ଧକାଳୀନ ଭିତ୍ତିରେ କାହିଁକି ଆଗରୁ ଅବସର ନିବେଶ ଆରମ୍ଭ କରିନଥିଲେ । ଅବସର ଯୋଜନାରେ କେବଳ ଆର୍ଥିକ ସୁରକ୍ଷା ନୁହେଁ, ବରଂ ସ୍ୱାସ୍ଥ୍ୟ ଓ ପରିବାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ୭୫ ପ୍ରତିଶତ ଲୋକ ଆଶା କରନ୍ତି ଯେ ଅବସର ପରେ ମଧ୍ୟ ସେମାନେ ସୁସ୍ଥ ଏବଂ ଫିଟ୍ ରହିବେ, ଯାହା ପାଇଁ ବହୁସଂଖ୍ୟକ ଯୁବକଯୁବତୀ ନିୟମିତ ବ୍ୟାୟାମ ଓ ସ୍ୱାସ୍ଥ୍ୟ ଟ୍ରାକିଂ ଉପରେ ଧ୍ୟାନ ଦେଉଛନ୍ତି । ପ୍ରତି ଦୁଇଜଣ ସହରୀ ଭାରତୀୟଙ୍କ ମଧ୍ୟରୁ ଜଣେ ମତ ଦେଇଛନ୍ତି ଯେ, ପ୍ରଥମ ଦରମା ମିଳିବା ମାତ୍ରେ ଅବସରକାଳୀନ ଯୋଜନା ଆରମ୍ଭ କରିଦେବା ଉଚିତ୍ । ଏହି କ୍ରମରେ ୬୨ ପ୍ରତିଶତ ଜେନ୍-ଜି ଯୁବକଯୁବତୀ ବର୍ତ୍ତମାନରୁ ହିଁ ଅବସର ପାଇଁ ନିବେଶ ଆରମ୍ଭ କରିସାରିଛନ୍ତି ।
Powered by Froala Editor