ସ୍କୁଲ ମଧ୍ୟାହ୍ନ ଭୋଜନରେ ମିଳିବ ଚିକେନ୍ ବିରିୟାନି
ତାମିଲନାଡୁ ସରକାର ସରକାରୀ ସ୍କୁଲ ମଧ୍ୟାହ୍ନ ଭୋଜନରେ ଚିକେନ୍ ବିରିୟାନି ଦେବାକୁ ଯୋଜନା କରିଛନ୍ତି । ସ୍କୁଲ ଶିକ୍ଷା ମନ୍ତ୍ରୀ ରାଜ ମୋହନ କହିଛନ୍ତି ଯେ, ଏହା ମୁଖ୍ୟମନ୍ତ୍ରୀ ଜୋସେଫ୍ ବିଜୟଙ୍କର ଇଚ୍ଛା । ତେବେ ଏହାକୁ ତୁରନ୍ତ ଲାଗୁ କରାଯିବ ନାହିଁ । ସରକାର ପ୍ରଥମେ ଏହା ପାଇଁ ଏକ ପାଇଲଟ୍ ପ୍ରୋଜେକ୍ଟ ଚଲାଇବେ । ବହୁ ସଂଖ୍ୟକ ପିଲାଙ୍କ ପାଇଁ ସ୍ୱଚ୍ଛତା ଓ ଖାଦ୍ୟ ସୁରକ୍ଷା ମାନଦଣ୍ଡ ଅନୁଯାୟୀ ଖାଦ୍ୟ କିପରି ପ୍ରସ୍ତୁତ କରାଯାଇ ପାରିବ । ଏହା ପରେ ହିଁ ଏହି ଯୋଜନାକୁ ବ୍ୟାପକ ସ୍ତରରେ ଲାଗୁ କରିବା ପାଇଁ ନିଷ୍ପତ୍ତି ନିଆଯିବ ।
ଏହି ପ୍ରସ୍ତାବ ପ୍ରଥମେ ଜୁଲାଇ ମାସରେ ସାମ୍ନାକୁ ଆସି ଥିଲା । ସେହି ସମୟରେ ତାମିଲନାଡୁ ସରକାର ସରକାରୀ ସ୍କୁଲ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଯୋଜନା ମୁତାବକ ସପ୍ତାହରେ ଥରେ ଚିକେନ୍ ବିରିୟାନି ଦେବାକୁ ବିଚାର କରୁଥିଲେ । ସ୍କୁଲଗୁଡ଼ିକରେ ଦିଆଯାଉଥିବା ଭୋଜନରେ ଆମିଷ ବିକଳ୍ପ ସାମିଲ କରିବା ପାଇଁ ଚାଲିଥିବା ଆଲୋଚନା ମଧ୍ୟରେ ଏହି ପ୍ରସ୍ତାବ ଆସି ଥିଲା । ମନ୍ତ୍ରୀ କହିଥିଲେ ଯେ, ବଢ଼ୁଥିବା ପିଲାମାନଙ୍କ ପାଇଁ ପର୍ଯ୍ୟାପ୍ତ ପ୍ରୋଟିନ୍ ଆବଶ୍ୟକ ଏବଂ ଚିକେନ୍ ବିରିୟାନି ଦେବା ପ୍ରସ୍ତାବକୁ ରାଜନୈତିକ ପ୍ରସଙ୍ଗ ଭାବେ ଦେଖାଯିବା ଉଚିତ୍ ନୁହେଁ ।
ମନ୍ତ୍ରୀ ରାଜ ମୋହନ କହିଛନ୍ତି, ଏହା ପାଇଁ ପ୍ରଥମେ ଆବଶ୍ୟକୀୟ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ପଡ଼ିବ । ସେ କହିଛନ୍ତି, ପୁଝଲ ଜେଲରେ କଏଦୀମାନଙ୍କୁ ମଧ୍ୟ ଚିକେନ୍ ବିରିୟାନି ମିଳୁଛି । ଆମ ଛାତ୍ରଛାତ୍ରୀମାନଙ୍କୁ ଏହା କାହିଁକି ମିଳି ପାରିବ ନାହିଁ ? ମନ୍ତ୍ରୀ କହିଛନ୍ତି , ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ ପାଇଲଟ୍ ପ୍ରୋଜେକ୍ଟ ମାଧ୍ୟମରେ ସମସ୍ତ ବ୍ୟବସ୍ଥା ଯାଞ୍ଚ କରାଯିବ । ଏହା ପରେ ଖାଦ୍ୟ ପ୍ରସ୍ତୁତି, ସ୍ୱଚ୍ଛତା ଏବଂ ଏହାକୁ ସ୍କୁଲଗୁଡ଼ିକ ପର୍ଯ୍ୟନ୍ତ ପହଞ୍ଚାଇବା ସହ ଏ ସଂପର୍କିତ ସମସ୍ତ ବ୍ୟବସ୍ଥାର ତଦାରଖ କରାଯିବ ।
Powered by Froala Editor