ଓସ୍କାର ୨୦୨୭ ପାଇଁ ଭାରତରୁ ‘ଗୋନ୍ଧଳ’ ମନୋନୀତ
ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ (FFI) ଓସ୍କାର ୨୦୨୭ ପାଇଁ ଭାରତ ପକ୍ଷରୁ ପଠାଯିବାକୁ ଥିବା ଫିଲ୍ମର ନାମ ଘୋଷଣା କରିଛି । ଶୁକ୍ରବାର ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ ଘୋଷଣା କରିଛି ଯେ, ମରାଠୀ ଥ୍ରୀଲର୍ ଫିଲ୍ମ 'ଗୋନ୍ଧଳ' ଓସ୍କାର ୨୦୨୭ ପାଇଁ ଭାରତର ଅଫିସିଆଲି ଏଣ୍ଟ୍ରି ହେବ । ସନ୍ତୋଷ ଡାବଖରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ୯୯ତମ ଏକାଡେମୀ ଆୱାର୍ଡସ (Oscars)ରେ 'ବେଷ୍ଟ ଇଣ୍ଟରନ୍ୟାସନାଲ୍ ଫିଚର ଫିଲ୍ମ' ବର୍ଗରେ ଭାରତର ପ୍ରତିନିଧିତ୍ୱ କରିବ । ଏଥର ଭାରତର ଅଫିସିଆଲ୍ ଏଣ୍ଟ୍ରି ହେବା ଦୌଡ଼ରେ ସାରା ଦେଶରୁ ମୋଟ ୩୩ଟି ଫିଲ୍ମ ଅନ୍ତର୍ଭୁକ୍ତ ଥିଲା । ଏହି ସବୁ ଫିଲ୍ମ ଗୁଡ଼ିକ ମଧ୍ୟରୁ FFI IMDbରେ ୮.୯ ରେଟିଂ ପାଇଥିବା ମରାଠୀ ଥ୍ରୀଲର୍ ଫିଲ୍ମକୁ ଚୟନ କରିଛି ।
‘ଗୋନ୍ଧଳ’ ହେଉଛି ମହାରାଷ୍ଟ୍ରର ଗ୍ରାମାଞ୍ଚଳର ପୃଷ୍ଠଭୂମିରେ ନିର୍ମିତ ଏକ ସସପେନ୍ସ-ଥ୍ରୀଲର ଫିଲ୍ମ। ଏଥିରେ ମହାରାଷ୍ଟ୍ରର ପ୍ରାଚୀନ ଲୋକକଳା ଏବଂ ଧାର୍ମିକ ପରମ୍ପରା ‘ଗୋନ୍ଧଳ’ର ସୁନ୍ଦର ଝଲକ ଦେଖିବାକୁ ମିଳିଛି। କାହାଣୀଟି ସୁମନ ନାମ୍ନୀ ଜଣେ ବିବାହିତା ମହିଳାଙ୍କ ଜୀବନକୁ ନେଇ ଗତିଶୀଳ। ଫିଲ୍ମରେ କିଶୋର କଦମ, ଇଶିତା ଦେଶମୁଖ, ଯୋଗେଶ ସୋହୋନୀ, ନିଷାଦ ଭୋଇର ଏବଂ ଅନୁଜ ପ୍ରଭୁ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଦେଶର ପ୍ରସିଦ୍ଧ ସଙ୍ଗୀତକାର ଇଲୈୟାରାଜା।
ଫିଲ୍ମର କାହାଣୀ ଜଣେ ନବବିବାହିତ ଦମ୍ପତିଙ୍କ ଚାରିପାଖରେ ଘୂରି ବୁଲୁଛି । ସମ୍ପୂର୍ଣ୍ଣ କାହାଣୀ ଗୋଟିଏ ରାତିରେ ହେଉଥିବା ପାରମ୍ପରିକ ମହାରାଷ୍ଟ୍ରୀୟ 'ଗୋନ୍ଧଳ' ପୂଜା ନୀତିକାନ୍ତି ସମୟରେ ଆଗକୁ ବଢ଼ୁଛି । ଆରମ୍ଭରୁ ଏହି ରାତିଟି ଏକ ସାଧାରଣ ଧାର୍ମିକ ଆୟୋଜନ ପରି ମନେହୁଏ, କିନ୍ତୁ କାହାଣୀ ଆଗକୁ ବଢ଼ିବା ସହ ସମ୍ପର୍କ ସହ ଜଡ଼ିତ ପୁରୁଣା ରହସ୍ୟ, ପ୍ରେମ, ଆବେଗ ଏବଂ କ୍ଷମତାର ଲଢ଼େଇ ପଦାକୁ ଆସି ଥାଏ ।
'ଗୋନ୍ଧଳ' ଏହା ପୂର୍ବରୁ ଅନେକ ପ୍ରତିଷ୍ଠିତ ଫିଲ୍ମ ଫେଷ୍ଟିଭାଲରେ ନିଜର ସଫଳତା ସାବ୍ୟସ୍ତ କରି ସାରିଛି। ୫୬ତମ ଭାରତୀୟ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ (IFFI) ୨୦୨୫ରେ ସନ୍ତୋଷ ଡାବଖରଙ୍କୁ ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ 'ରଜତ ମୟୂର' ପୁରସ୍କାର ମିଳି ଥିଲା । ଏହା ବ୍ୟତୀତ ଫିଲ୍ମଟି ବେଙ୍ଗାଲୁରୁ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ FIPRESCI ପୁରସ୍କାର ମଧ୍ୟ ଜିତିଛି । ପୁଣେ ଅନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲ (PIFF)ରେ ମଧ୍ୟ ଏହାକୁ କେତେକ ପ୍ରମୁଖ ସମ୍ମାନ ମିଳିଛି ।
ଫିଲ୍ମଟି ଓସ୍କାର ପାଇଁ ମନୋନୀତ ହେବା ପରେ ଅଭୟ ସିହ୍ନା ‘ଗୋନ୍ଧଳ’ର ସମ୍ପୂର୍ଣ୍ଣ ଟିମ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ, ଏହା କେବଳ ମରାଠୀ ସିନେମା ନୁହେଁ, ବରଂ ସମଗ୍ର ଭାରତୀୟ ଚଳଚ୍ଚିତ୍ର ଜଗତ ପାଇଁ ଏକ ଗର୍ବ ଓ ଗୌରବର ବିଷୟ। ବିଶ୍ୱ ଦରବାରରେ ଏହି ଫିଲ୍ମଟି ଭାରତୀୟ କଳା ଓ ସଂସ୍କୃତିକୁ ସଫଳତାର ସହ ଉପସ୍ଥାପନ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।
'ଗୋନ୍ଧଳ' କ’ଣ ?
ମହାରାଷ୍ଟ୍ରରେ 'ଗୋନ୍ଧଳ' ହେଉଛି ଏକ ପାରମ୍ପରିକ ଧାର୍ମିକ ଅନୁଷ୍ଠାନ, ଯାହା ସାଧାରଣତଃ ଦେବୀ-ଦେବତାଙ୍କ ଆରାଧନା ଓ କୃପା ଲାଭ ପାଇଁ କରାଯାଇ ଥାଏ । ଏଥିରେ ସ୍ୱତନ୍ତ୍ର ପ୍ରକାରର ଗୀତ, ବାଜା, କାହାଣୀ ଏବଂ ପୂଜାରୀତି ସାମିଲ ଥାଏ । ଅନେକ ପରିବାରରେ ବାହାଘର କିମ୍ବା ଅନ୍ୟ କୌଣସି ଶୁଭକାର୍ଯ୍ୟରେ ମଧ୍ୟ ଗୋନ୍ଧଳ ପୂଜା କରାଯାଇ ଥାଏ । ଫିଲ୍ମଟି ଏହି ଧାର୍ମିକ ଓ ସାଂସ୍କୃତିକ ପରିବେଶକୁ ନିଜ କାହାଣୀର ମୁଖ୍ୟ ଅଂଶ ଭାବେ ଗ୍ରହଣ କରିଛି ।
Powered by Froala Editor