ନକଲି ଘିଅରେ ତିରୁପତି ଲଡୁ ତିଆରି
ତିରୁପତି ଲଡୁ ପ୍ରସାଦ ତିଆରିରେ ପାମ୍ ଅଏଲ, ପାମ୍ କର୍ଣ୍ଣେଲ ଅଏଲ, ପାମୋଲିନ୍ ଏବଂ ବିଭିନ୍ନ ରାସାୟନିକ ପଦାର୍ଥ ମିଶାଇ ନକଲି ଘିଅ ବ୍ୟବହାର କରାଯାଇଥିବା ଦାବି କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED)। ଏହି ଅଭିଯୋଗ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ସୁକୃତି ଫୁଡ୍ସର ପ୍ରମୋଟର କୈଳାସ ଚନ୍ଦ ମଙ୍ଗଲାଙ୍କୁ ଗିରଫ କରାଯାଇଛି।
୨୦୧୯ରୁ ୨୦୨୪ ମଧ୍ୟରେ TTDକୁ ହୋଇଥିବା ଘିଅ ଯୋଗାଣର ମୋଟ ମୂଲ୍ୟ ୨୩୦ କୋଟି ଟଙ୍କା ଥିଲା। ଏଥିରୁ ୯୬ କୋଟି ଟଙ୍କାର ଅପମିଶ୍ରିତ ଘିଅ ମଙ୍ଗଲା ପ୍ରସ୍ତୁତ କରିଥିବା ଏଜେନ୍ସି ଦାବି କରିଛି। ତଦନ୍ତକାରୀ ସଂସ୍ଥାର ଦାବି ଅନୁସାରେ, ତିରୁପତି ଲଡୁ ପ୍ରସାଦ ପାଇଁ ବ୍ୟବହୃତ ଅପମିଶ୍ରିତ ଘିଅ ରିଫାଇନ୍ଡ ପାମ୍ ଅଏଲ, ପାମ୍ କର୍ଣ୍ଣେଲ ଅଏଲ, ପାମୋଲିନ୍ ଏବଂ MG-90, ମୋନୋଗ୍ଲିସେରାଇଡ୍ସ, Myvacet Soft 400 ଓ ଏସିଟିକ୍ ଏସିଡ୍ ଏଷ୍ଟର ଭଳି ରାସାୟନିକ ପଦାର୍ଥରେ ପ୍ରସ୍ତୁତ ହୋଇଥିଲା। ଏହାପରେ ଏହି ଘିଅକୁ TTDକୁ Agmark Special Grade Cow Ghee ଭାବେ ଯୋଗାଣ କରାଯାଇଥିବା ED ଅଭିଯୋଗ କରିଛି।
ED ପକ୍ଷରୁ ଜାରି ବିବୃତି ଅନୁସାରେ, TTD ଘିଅରେ ଅପମିଶ୍ରଣ ମାମଲାରେ ମଙ୍ଗଲାଙ୍କୁ ସେପ୍ଟେମ୍ବର ୧୭ ତାରିଖରେ ହାଇଦ୍ରାବାଦ ସ୍ଥିତ ED କାର୍ଯ୍ୟାଳୟ ଗିରଫ କରିଥିଲା। ପରେ ତାଙ୍କୁ ବିଶାଖାପାଟଣାର ଏକ ସ୍ୱତନ୍ତ୍ର ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA) କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ନ୍ୟାୟିକ ହେପାଜତକୁ ପଠାଇଥିବା ED କହିଛି।
Powered by Froala Editor