ଶାଶୂ-ଶ୍ୱଶୁରଙ୍କ ସେବା କରିବା ପାଇଁ ପତ୍ନୀଙ୍କୁ ଆଦେଶ ଦେଇପାରିବେ ନାହିଁ: ହାଇକୋର୍ଟ
ବେଙ୍ଗାଲୁରୁ : ଘରକାମ ଓ ଶାଶୂ-ଶ୍ୱଶୁରଙ୍କ ସେବା କରିବା ପାଇଁ ପତ୍ନୀଙ୍କୁ ପତି ବାଧ୍ୟ କିମ୍ବା ଆଦେଶ ଦେଇପାରିବେ ନାହିଁ ବୋଲି କର୍ଣ୍ଣାଟକ ହାଇକୋର୍ଟ କହିଛନ୍ତି। ବିଚାରପତି ଚିଲ୍ଲାକୁର ସୁମଲତାଙ୍କୁ ନେଇ ଗଠିତ ଜଣିକିଆ ପୀଠ କହିଛନ୍ତି ଯେ, ସ୍ୱାମୀଙ୍କର ମନୋଭାବ ଯେ ସ୍ତ୍ରୀ ଘରକାମ କରିବ ଓ ଶାଶୂ-ଶ୍ୱଶୁରଙ୍କ ଦେଖାରଖା କରିବାକୁ ବାଧ୍ୟ। ଏପରି ମନୋଭାବ ସ୍ତ୍ରୀଙ୍କୁ ଜଣେ କର୍ମଚାରୀ ଭାବେ ଗ୍ରହଣ କରିବା ସହ ସମାନ। କୋର୍ଟ କହିଛନ୍ତି ଯେ ବାପା-ମା’ଙ୍କ ସେବା କରିବାର ପ୍ରାଥମିକ କର୍ତ୍ତବ୍ୟ ତାଙ୍କ ପୁଅ କିମ୍ବା ଝିଅଙ୍କର, ବୋହୂ କିମ୍ବା ଜ୍ବାଇଁଙ୍କର ନୁହେଁ। ଜଣେ ଭାରତୀୟ ମହିଳା ବାପଘରକୁ ଯିବା ପାଇଁ ଶାଶୂଘରର ସମସ୍ତ ସଦସ୍ୟଙ୍କଠାରୁ ଅନୁମତି ନେବାକୁ କାହିଁକି ବାଧ୍ୟ କରାଯିବ। ଏହା ଠିକ୍ ନୁହେଁ। ନିଜ ଠାରୁ ଅଲଗା ରହୁଥିବା ସ୍ତ୍ରୀ ଓ ସାନ ଝିଅକୁ ମାସିକ ୯,୦୦୦ ଟଙ୍କା ଭରଣପୋଷଣ ଦେବାକୁ ପରିବାର ଅଦାଲତ ସ୍ବାମୀଙ୍କୁ ନିର୍ଦେଶ ଦେଇଥିଲେ। ପରିବାର ଅଦାଲତଙ୍କ ଏପରି ନିର୍ଦେଶ ବିରୋଧରେ ସ୍ବାମୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଶୁଣାଣି ସମୟରେ ସ୍ୱାମୀଙ୍କ ଅଭିଯୋଗ ଥିଲା ଯେ ସ୍ତ୍ରୀ ଘରକାମ କରୁନାହାନ୍ତି, ଶାଶୂ-ଶ୍ୱଶୁରଙ୍କ ସେବା କରୁନାହାନ୍ତି ଓ ବିନା ଅନୁମତିରେ ବାପଘରକୁ ଚାଲିଯାଉଛନ୍ତି। ହାଇକୋର୍ଟ ସ୍ୱାମୀଙ୍କର ଏହି ସମସ୍ତ ଯୁକ୍ତିକୁ ଖାରଜ କରିବା ସହ ଧାର୍ଯ୍ୟ ଭରଣପୋଷଣ ଅର୍ଥ ପ୍ରଦାନ ପାଇଁ ପରିବାର ଅଦାଲତ ଦେଇଥିବା ନିର୍ଦେଶକୁ ବଳବତ୍ତର ରଖିଛନ୍ତି।
Powered by Froala Editor