ପୁଅ ମୃତ୍ୟୁ ପରେ ଶାଶୂଙ୍କୁ ଭରଣପୋଷଣ ଦେବେ ବୋହୂ
ରାଜସ୍ଥାନ ହାଇକୋର୍ଟଙ୍କ ଜୟପୁର ପୀଠ ପରିବାରର ଭରଣପୋଷଣ ଦାୟିତ୍ୱକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ସ୍ୱାମୀଙ୍କ ମୃତ୍ୟୁ ପରେ ଅନୁକମ୍ପା ନିଯୁକ୍ତି ପାଇଥିବା ବୋହୂ ଆଶ୍ରିତ ଶାଶୂଙ୍କ ଭରଣପୋଷଣର ନୈତିକ ଓ ଆଇନଗତ ଦାୟିତ୍ୱରୁ ମୁକ୍ତ ହୋଇ ପାରିବେ ନାହିଁ । ଜଷ୍ଟିସ୍ ଆନନ୍ଦ ଶର୍ମାଙ୍କ ଏକକ ପୀଠ 'ଅଜମେର ବିଦ୍ୟୁତ୍ ବିତରଣ ନିଗମ ଲିମିଟେଡ୍ ' (AVVNL) କୁ ନିର୍ଦ୍ଦେଶ ଦେଇଛନ୍ତି ଯେ , ବୋହୂଙ୍କ ମାସିକ ଦରମାରୁ ୨୫ ପ୍ରତିଶତ କାଟି ସିଧାସଳଖ ଶାଶୂଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯାଉ।
୨୦୧୭ ମସିହାର, ଯେତେବେଳେ ଅଜମେର ବିଦ୍ୟୁତ୍ ବିତରଣ ନିଗମରେ ଟେକ୍ନିକାଲ୍ ହେଲପର ପଦବୀରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ଦେହାନ୍ତ ହୋଇ ଥିଲା । ପୁଅର ମୃତ୍ୟୁ ପରେ ଶାଶୂ-ଶ୍ୱଶୁର ନୋ ଅବଜେକ୍ସନ ସାର୍ଟିଫିକେଟ୍ (NOC) ଦେଇଥିଲେ, ଏହାର ଆଧାରରେ ବୋହୂଙ୍କୁ ଅନୁକମ୍ପା ନିଯୁକ୍ତି ମିଳି ଥିଲା । ନିଯୁକ୍ତି ସମୟରେ ବୋହୂ ଏକ ଶପଥପତ୍ର ଦେଇ ଥିଲେ ଯେ, ସେ ମୃତ କର୍ମଚାରୀଙ୍କ ପରିବାର ଲୋକଙ୍କ ଭରଣପୋଷଣ କରିବେ । ହେଲେ, ଚାକିରି ମିଳିବା ପରେ ବୋହୂ ଶାଶୂଘର ଛାଡ଼ି ଦେଇ ଥିଲେ, ଦ୍ୱିତୀୟ ବିବାହ କଲେ । ୨୦୧୮ ମସିହାରେ ନ୍ୟାୟ ପାଇଁ ଶାଶୂ-ଶ୍ୱଶୁର ଆବେଦନ କରି ଥିଲେ, ତେବେ ମାମଲାର ଶୁଣାଣି ଚାଲିଥିବା ସମୟରେ ଶ୍ୱଶୁରଙ୍କ ମତ୍ୟୁ ହୋଇ ଯାଇ ଥିଲା ।
ଆବେଦନକାରୀଙ୍କ ଓକିଲ ରମିତ ପାରୀକଙ୍କ ଯୁକ୍ତିକୁ ଗ୍ରହଣ କରି ହାଇକୋର୍ଟ ନିଜ ରାୟରେ ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି । କୋର୍ଟ କହିଛନ୍ତି ଯେ, ଅନୁକମ୍ପା ନିଯୁକ୍ତି କୌଣସି ବ୍ୟକ୍ତିଗତ ବିଶେଷାଧିକାର କିମ୍ବା ନିଜସ୍ୱ ସମ୍ପତ୍ତି ନୁହେଁ, ବରଂ ଏହା ଏକ କଲ୍ୟାଣକାରୀ ବ୍ୟବସ୍ଥା । ଏଭଳି ସ୍ଥିତିରେ ଚାକିରି ପାଇବା ପରେ ଏହି ଦାୟିତ୍ୱରୁ ଓହରିଯିବା ଅନୁକମ୍ପା ଯୋଜନାର ମୂଳ ଭାବନାକୁ ଉଲ୍ଲଂଘନ କରୁଛି ।
ତେଣୁ ଶାଶୂଙ୍କ ଭରଣପୋଷଣ ଦାୟିତ୍ୱ ବୋହୂ ନେବେ ବୋଲି କୋର୍ଟ ରାୟ ପ୍ରକାଶ କରିଛନ୍ତି । ଦରମାର ୨୫ ପ୍ରତିଶତ ସିଧାସଳଖ ଶାଶୂଙ୍କ ଆକାଉଣ୍ଟକୁ ଯିବ ବୋଲି କହିଛନ୍ତି । ଏଥିରେ ବୋହୂ ହସ୍ତକ୍ଷେପ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଜଣାଇଛନ୍ତି ।
Powered by Froala Editor