ସ୍ଲିପର ବସରେ ଭୟାବହ ଅଗ୍ନିକାଣ୍ଡ, ୯ ଯାତ୍ରୀ ଜୀବନ୍ତ ଦଗ୍ଧ
ଉତ୍ତର ପ୍ରଦେଶର ଗ୍ରେଟର ନୋଏଡ଼ା ଅଞ୍ଚଳରେ ଯମୁନା ଏକ୍ସପ୍ରେସୱେରେ ଦୁଃଖଦ ଓ ଭୟଙ୍କର ଦୁର୍ଘଟଣା ଘଟିଯାଇଛି। ଦିଲ୍ଲୀରୁ ମହୋବା ଅଭିମୁଖେ ଯାଉଥିବା ଏକ ଡବଲ ଡେକର ସ୍ଲିପର ବସରେ ଅଚାନକ ନିଆଁ ଲାଗିଯାଇ ୯ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି।
ସୂଚନା ଅନୁସାରେ, ଯମୁନା ଏକ୍ସପ୍ରେସୱେର ଜେୱର ଥାନା ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଥିଲା। ବସ୍ଟି ଦିଲ୍ଲୀରୁ ଉତ୍ତରପ୍ରଦେଶର ମାହୋବା ଅଭିମୁଖେ ଯାଉଥିବା ବେଳେ ହଠାତ୍ ଏଥିରେ ନିଆଁ ଲାଗିଥିଲା। ବସ୍ରେ ପ୍ରାୟ ୪୦ରୁ ୫୦ ଜଣ ଯାତ୍ରୀ ଥିବା କୁହାଯାଉଛି। ତେବେ ବସ୍ରେ ମୋଟ କେତେ ଯାତ୍ରୀ ଥିଲେ, ସେ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ।
ଗାଡ଼ି ଭିତରୁ ଧୂଆଁ ବାହାରିବା ମାତ୍ରେ ଡ୍ରାଇଭର ସାବଧାନତା ଅବଲମ୍ବନ କରି ବସକୁ ରାସ୍ତା କଡ଼ରେ ରଖିଦେଇଥିଲେ। ତେବେ ନିଆଁ ଅତି ଦ୍ରୁତ ଗତିରେ ବ୍ୟାପିଯିବାରୁ ବସ ଭିତରେ ଆତଙ୍କ ଖେଳିଯାଇଥିଲା। କେତେକ ଯାତ୍ରୀ କାଚ ଭାଙ୍ଗି ଓ ଝରକାରୁ ଡେଇଁ ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ। ମାତ୍ର ନିଆଁର ପ୍ରକୋପ ଏତେ ପ୍ରବଳ ଥିଲା ଯେ କିଛି ଯାତ୍ରୀ ଗାଡ଼ି ଭିତରୁ ବାହାରି ନପାରି ଭିତରେ ହିଁ ଫସି ରହିଯାଇଥିଲେ।
ଏହି ଭୀଷଣ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୯ ଜଣ ଯାତ୍ରୀଙ୍କ ମଧ୍ୟରେ ମହିଳା, ବୃଦ୍ଧ ଓ ଜଣେ ଦିବ୍ୟାଙ୍ଗ ଶିଶୁ ସାମିଲ ଅଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ, ଯମୁନା ଏକ୍ସପ୍ରେସୱେ ସୁରକ୍ଷା କର୍ମୀ ଓ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।
Powered by Froala Editor