ନିର୍ବାଚନ ପୂର୍ବରୁ ପଞ୍ଜାବରେ କମିଲା ତେଲ ଦର, କେତେ ଟଙ୍କା ଜାଣନ୍ତୁ...

ପଞ୍ଜାବ ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍ ହ୍ରାସ କରିଛନ୍ତି । ପେଟ୍ରୋଲ ଏବଂ ଡିଜେଲ ଦର ଯଥାକ୍ରମେ ଲିଟର ପିଛା ୧୦ ଟଙ୍କା ଏବଂ ୫ ଟଙ୍କା ହ୍ରାସ କରିବାକୁ ପଞ୍ଜାବ ସରକାର ଘୋଷଣା କରିଛନ୍ତି। ଭାଟ୍ ହ୍ରାସ ଘୋଷଣା ନେଇ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି କହିଛନ୍ତି ଯେ, ଗତ ୨୦ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ରାଜ୍ୟ ପକ୍ଷରୁ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ କରାଯାଇଛି।
ପଞ୍ଜାବ ମନ୍ତ୍ରୀ ମନପ୍ରୀତ ସିଂ ବାଦଲ କହିଛନ୍ତି ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ହ୍ରାସ ପରେ ରାଜ୍ୟ ସରକାର ବାର୍ଷିକ ୯୦୦ କୋଟି ଟଙ୍କା କ୍ଷତି ସହିବେ। ତୈଳ ଉପରେ ଆଦାୟ କରାଯାଉଥିବା ଏକ୍ସାଇଜ୍ ଡ୍ୟୁଟି କେନ୍ଦ୍ର ସରକାର ହ୍ରାସ କରାଯିବା ପରେ ରାଜ୍ୟ ସରକାର ଏହି ଘୋଷଣା କରିଛନ୍ତି। ତୈଳ ଦର କମ୍ କରିବା ପାଇଁ ପଞ୍ଜାବ ସରକାର ଡିଜେଲରୁ ୯.୯୨ ପ୍ରତିଶତ ଭାଟ୍ କମ୍ କରିଥିବାବେଳେ ପେଟ୍ରୋଲରୁ ୧୩.୭୭ ପ୍ରତିଶତ ଭାଟ୍ କମ୍ କରିଛି ।
କେନ୍ଦ୍ର ସରକର ପେଟ୍ରୋଲ ଡିଜେଲ ଦରରୁ ଏକ୍ସସାଇଜ ଡ୍ୟୁଟି କମ୍ କରିଥିବାବେଳେ ପଞ୍ଜାବର ପଡୋଶୀ ରାଜ୍ୟ ହିମାଚଳ ପ୍ରଦେଶ ଓ ହରିଆଣାରେ ଭାଟ୍ କମ୍ କରିଥିଲା । ଯାହା ଫଳରେ ପେଟ୍ରୋଲ ଓ ଡିଜେଲ ଦରରେ ୧୨ରୁ ୧୭ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇଥିଲା । ଆସନ୍ତା ବର୍ଷ ପଞ୍ଜାବରେ ନିର୍ବାଚନ ଥିବାରୁ ତୈଳ ଦର କମ୍ କରିବାକୁ ଚାପ ପଡ଼ିଥିଲା ।
Powered by Froala Editor