ପ୍ରଣବପ୍ରକାଶଙ୍କ ସହ ଯାଉଥିଲେ ଦିବ୍ୟଶଙ୍କର, ହେଲା ଅଣ୍ଡାମାଡ଼

ଜୁନାଗଡ଼: ମମିତା ମେହେର ମୃତୁ୍ୟ ମାମଲାକୁ ନେଇ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଗତ କିଛି ଦିନ ହେଲା ବାରମ୍ବାର ବିରୋଧୀଙ୍କ ଅକ୍ରୋଶର ଶିକାର ହେଉଆସୁଛନ୍ତି । ଗତ କିଛି ଦିନହେଲା ତାଙ୍କୁ ବିଭିନ୍ନ ସ୍ଥାନରେ କଳାପତକା ପ୍ରଦର୍ଶନ କରାଯାଉଥିବାବେଳେ ଆଜି ଜୁନାଗଡ଼ରେ ତାଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରାଯାଇଥିବା ଜଣାଯାଇଛି । ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସହ ମନ୍ତ୍ରୀ ଶ୍ରୀ ମିଶ୍ର ଯାଉଥିବାବେଳେ ତାଙ୍କ ଗାଡ଼ିକୁ ଅଣ୍ଡାମାଡ଼ କରାଯାଇଛି । ଉଭୟେ ଯାଉଥିବା ଗାଡ଼ି ଉପରକୁ କଲେଜ ଛକ ନିକଟରେ ଅଣ୍ଡାମାଡ଼ କରାଯାଇଛି । ଉଭୟ ବିଜେଡିର ଏକ ମିଶ୍ରଣ ପର୍ବରେ ଯୋଗଦେବାକୁ ଯାଉଥିବାବେଳେ ଏହି ଅଘଟଣ ଘଟିଛି । ଯାହାକୁ ନେଇ ଘଟଣାସ୍ଥଳରେ ଉଭୟ ବିଜେଡି-ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିବା ଜଣାଯାଇଛି ।
ପ୍ରକାଶ ଯେ, ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ଗତକାଲି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିଲା । ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ତାଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିଲା । ଭବାନୀପାଟଣାର ନକଟିଗୁଡ଼ାରେ ଗତକାଲି ସନ୍ଧ୍ୟାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ କଳାପତାକା ପ୍ରଦର୍ଶନ କରାଯାଇଥିଲା। ତାଙ୍କ ସହିତ ବିଜେଡି ବିଧାୟକ ତଥା ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ମଧ୍ୟ ବିରୋଧ କରାଯାଇଥିଲା ଓ କଳାପତାକା ପ୍ରଦର୍ଶନ କରାଯାଇଥିଲା।
ସୂଚନାଯୋଗ୍ୟ, ବିଜେପି ରାଜ୍ୟ ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ଗତକାଲି କହିଛନ୍ତି ଯେ ଯେତେ ଦିନ ପର୍ୟ୍ୟନ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର କରା ନ ଯାଇଛି ଓ ଘଟଣାର ସିବିଆଇ ତଦନ୍ତ କରିବାକୁ ସୁପାରିସ ନ କରାଯାଇଛି, ସେତେଦିନ ପର୍ୟ୍ୟନ୍ତ ଦଳ ଆନ୍ଦୋଳନ ଜାରି ରଖିବ। ଆସନ୍ତା ୮ ତାରିଖରୁ ଦଳ ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ କରିବ ବୋଲି ସେ କହିଛନ୍ତି।
Powered by Froala Editor