୮ ରେ ନୂଆପଡ଼ା ଜିଲ୍ଲାବାସୀଙ୍କୁ ହେଲଥ କାର୍ଡ ବାଣ୍ଟିବେ ନବୀନ
ନୂଆପଡ଼ା: ନଭେମ୍ବର ୮ ତାରିଖରେ ନୂଆପଡ଼ା ଜିଲ୍ଲାବାସୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲ୍ଥ କାର୍ଡ ମିଳିବ । ସ୍ଥାନୀୟ ମିନି ଷ୍ଟାଡିୟମ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମୋଡରେ ନୂଆପଡ଼ା ଜିଲ୍ଲାରେ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ହେଲ୍ଥ କାର୍ଡ ବଣ୍ଟନ କାର୍ୟ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିବେ । ସନ୍ଧ୍ୟା ୫ଟାରେ ଭିଡିଓ କନଫରେନ୍ସ ଜରିଆରେ ମୁଖ୍ୟମନ୍ତ୍ରୀ ସିଧା ସଳଖ ସ୍ଥାନୀୟ ମିନି ଷ୍ଟାଡିୟମରେ ଉପସ୍ଥିତ ହିତାଧିକାରୀଙ୍କ ସହିତ ଯୋଡି ହେବେ । ଏ ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସମେତ ଅନ୍ୟାନ୍ୟ ନେତା ଓ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।
ଏନେଇ ସ୍ଥାନୀୟ ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସ୍ୱଧାଦେବ ସିଂଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏସପି ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଜିଲ୍ଲାପାଳ ଅଗସ୍ତୀ ପ୍ରଧାନ, ଉପ ଜିଲ୍ଲାପାଳ ତରଣିସେନ ନାଏକ ପ୍ରମୁଖଙ୍କ ସମେତ ବହୁ ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇ ସ୍ମର୍ଟ କାର୍ଡ ବଣ୍ଟନ କାର୍ୟ୍ୟକ୍ରମର ସୁପରିଚାଳନା ଉପରେ ସବିଶେଷ ଆଲୋଚନା କରାଯାଇଥିଲା । ଏହି କାର୍ୟ୍ୟକ୍ରମ ପରିଚାଳନା ପାଇଁ ୬ ଜଣ ମନ୍ତ୍ରୀ, ନୂଆପଡ଼ା ବିଧାୟକ ସହ ୬ ଜଣ ଉପଦେଷ୍ଟା ନିଯୁକ୍ତ ହୋଇଥିବା ପ୍ରକାଶ ।
Powered by Froala Editor