ମଦ ପାଇଁ ମା’କୁ ଜାଳି ଦେଲା ପୁଅ

ମଦ ପାଇଁ ମା’କୁ ଜାଳି ଦେଇଛି ନୃଶଂସ ପୁଅ । ଯୁବକ କିରାସିନି ଢାଳି ନିଆଁ ଲଗାଇ ଦେବାରୁ ବୃଦ୍ଧା ମାଆଙ୍କ ଶରୀର ପ୍ରାୟ ୮୦ ପ୍ରତିଶତ ପୋଡ଼ିଯାଇଛି। ପୁଲିସ ଉକ୍ତ ଯୁବକକୁ ଗିରଫ କରି ଘଟଣାର ତଦନ୍ତ ଚଳାଇଛି।
ଅନୁଗୁଳ ଜିଲ୍ଲା ସମଲ ଥାନା ଅଞ୍ଚଳ ଶରଧାପୁରର ନରୋତ୍ତମ ସାହୁଙ୍କ ପୁଅ ସରୋଜ ସାହୁ (୩୪) ଗତକାଲି ରାତି ପ୍ରାୟ ସାଢ଼େ ୭ଟାବେଳେ ପ୍ରଚୁର ମଦ୍ୟପାନକରି ଘରକୁ ଆସିଥିଲେ। ଅଧିକ ମଦ ପିଇବା ପାଇଁ ସେ ମାଆ ସୁଲୋଚନା ସାହୁ (୬୦)ଙ୍କୁ ଟଙ୍କା ମାଗିଥିଲେ। 'ତୋତେ ସବୁଦିନ ଟଙ୍କା କେଉଁଠୁ ଦେବି ବୋଲି ମାଆ ସୁଲୋଚନା କହିବାରୁ ସରୋଜ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳିଦେବା ସହ ଘରୁ ଏକ ଟାଙ୍ଗିଆ ଆଣି ହାଣିବା ପାଇଁ ଗୋଡ଼ାଇଥିଲେ। ମାଆ ଜୀବନ ବିକଳରେ ଏକ କୋଠରିରେ ପଶି କବାଟ ବନ୍ଦ କରିଦେଇଥିଲେ। ସରୋଜ ଏଥିରେ ଅଧିକ ଉତ୍କ୍ଷିପ୍ତ ହୋଇ ଘରେ ଥିବା ଏକ କିରାସିନି ଆଣି କବାଟ ଫାଙ୍କରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଫଳରେ କୋଠରି ଭିତରେ ଥିବା ବିଭିନ୍ନ ଆସବାବପତ୍ର ହୁତ୍ ହୁତ୍ ହୋଇ ଜଳିବା ସହ ସୁଲୋଚନାଙ୍କ ଶରୀରରେ ମଧ୍ୟ ନିଆଁ ଲାଗି ଯାଇଥିଲା। ତାଙ୍କୁ ତୁରନ୍ତ ତାଳଚେର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସରୋଜଙ୍କ ବାପା ନରୋତ୍ତମ ଅଗ୍ନିଶମ ବିଭାଗର ଜଣେ ଅବସରପ୍ରାପ୍ତ କର୍ମଚାରୀ। ବାପାଙ୍କ ପେନସନ୍ ଟଙ୍କା ମାଆ ନଦେବାରୁ ସରୋଜ ଏଭଳି କାଣ୍ଡ କରିଥିବା ଜଣାପଡ଼ିଛି।
Powered by Froala Editor