ଫୋର୍ବସର ଧନୀ ତାଲିକା : ଅମ୍ବାନୀ ଶୀର୍ଷରେ, ଆଦାନୀ ଦ୍ୱିତୀୟରେ

ଫୋର୍ବସ ପକ୍ଷରୁ ଭାରତର ୧୦୦ ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକା ଗୁରୁବାର ପ୍ରକାଶ ପାଇଛି। ଚଳିତ ବର୍ଷ ତାଙ୍କ ସମ୍ପତ୍ତି ୪ ବିଲିୟନ ଡଲାର ବୃଦ୍ଧି ପାଇ ୯୨.୭ ବିଲିୟନ ଡଲାରରେ ପହଞ୍ଚିଛି। ୨୦୨୧ରେ ମଧ୍ୟ ରିଲାଏନ୍ସ ଏଣ୍ଟରପ୍ରାଇଜେସ୍ ମାଲିକ ମୁକେଶ ଅମ୍ବାନୀ ଦେଶର ଧନୀ ତାଲିକାର ଶୀର୍ଷରେ ରହିଛନ୍ତି। ୨୦୦୮ ମସିହାରୁ ସେ ଏହି ସ୍ଥାନରେ ଅଛନ୍ତି।
ଆଦାନୀ ଗ୍ରୁପ୍ ମାଲିକ ଗୌତମ ଆଦାନୀ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ତାଙ୍କ ମୋଟ୍ ସମ୍ପତ୍ତିର ମୂଲ୍ୟ ୭୪.୮ ବିଲିୟନ ଡଲାର, ଯାହା ମୁକେଶ ଅମ୍ବାନୀଙ୍କଠାରୁ ୧୭.୯ ବିଲିୟନ ଡଲାର କମ୍। ଏଚସିଏଲ ଟେକ୍ନୋଲୋଜିର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ୍ ଶିବ ନାଡର ଧନୀ ତାଲିକାର ତୃତୀୟ ସ୍ଥାନରେ ଅଛନ୍ତି। ତାଙ୍କ ସମ୍ପତ୍ତି ୧୦.୬ ବିଲୟନ୍ ଡଲାର ବୃଦ୍ଧି ପାଇ ୩୧ ବିଲୟନ ଡଲାରରେ ପହଞ୍ଚିଛି। ଆଭେନ୍ୟୁ ସୁପରମାର୍ଟର ୬୬ ବର୍ଷୀୟ ରାଧାକିଷନ ଦମାନୀ ୨୯.୪ ବିଲୟନ ଡଲାରର ସମ୍ପତ୍ତି ସହ ଭାରତର ଚତୁର୍ଥ ସ୍ଥାନରେ ଅଛନ୍ତି। ସିରମ୍ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆର ସାଇରସ୍ ପୁନାୱାଲା ପଞ୍ଚମ ସ୍ଥାନରେ ଅଛନ୍ତି। ତାଙ୍କ ମୋଟ୍ ସମ୍ପତ୍ତିର ମୂଲ୍ୟ ୧୯ ବିଲିୟନ ଡଲାର।
ତାଲିକାରେ ୬ ମହିଳା :
ତେବେ ଫୋର୍ବସ ତାଲିକାରେ ଭାରତର ୧୦୦ ଧନୀବ୍ୟକ୍ତିଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି ୬ ମହିଳା। ସେମାନଙ୍କ ମଧ୍ୟରେ ଓ.ପି. ଜିନ୍ଦଲ ଗ୍ରୁପ୍ର ସାବିତ୍ରୀ ଜିନ୍ଦଲ(୭୧)ଙ୍କ ସମ୍ପତ୍ତି ସର୍ବାଧିକ ଥିବାବେଳେ ତାଲିକାର ୭ ନମ୍ବରରେ ରହିଛନ୍ତି। ତାଙ୍କ ମୋଟ ସମ୍ପତ୍ତି ପ୍ରାୟ ୧୩.୪୬ ଲକ୍ଷ କୋଟି ଟଙ୍କା ହେବ। ୨୪ ତମ ସ୍ଥାନରେ ଥିବା ଦ୍ୱିତୀୟ ଧନୀ ମହିଳା ହାଭେଲ୍ସର ବିନୋଦ ରାୟ ଗୁପ୍ତା(୭୬)ଙ୍କ ସମ୍ପତ୍ତି ପ୍ରାୟ ୫.୬୮ ଲକ୍ଷ କୋଟି ହେବ। ତାଲିକାରେ ୪୩ ତମ ର଼୍ୟାଙ୍କ୍ ପାଇଥିବା ଫାର୍ମା କମ୍ପାନୀ ୟୁଏସ୍ଭି ପ୍ରା. ଲିମିଟେଡ୍ର ଲିନା ତିଓ୍ବାରୀ(୪୩) ପ୍ରାୟ ୩.୨୮ ଲକ୍ଷ କୋଟି ଟଙ୍କା ସହ ତୃତୀୟ ଧନୀ ମହିଳା ହୋଇଛନ୍ତି। ବାଇଜୁସ୍ ପ୍ରତିଷ୍ଠାତା ଦିବ୍ୟା ଗୋକୁଳନାଥ (୩୫) ପରବର୍ତ୍ତୀ ବିତ୍ତଶାଳୀ ମହିଳା ଭାବେ ୪୭ ତମ ର଼୍ୟାଙ୍କ୍ ପାଇଛନ୍ତି। ତାଙ୍କ ମୋଟ ସମ୍ପତ୍ତି ୩.୦୨ ଲକ୍ଷ କୋଟି ରହିଛି। କରୋନା କାଳରେ ଡିଜିଟାଲ ଶିକ୍ଷାଦାନର ଚାହିଦା ବଢ଼ିବାରୁ ତାଙ୍କ ସମ୍ପତ୍ତି ପ୍ରାୟ ୭,୪୭୭ କୋଟି ଟଙ୍କା ବୃଦ୍ଧି ପାଇଛି। ବାୟୋକନ୍ର କିରଣ ମଜୁମଦାର ଶ'(୬୮) ଫୋର୍ବସ ତାଲିକାର ୫୩ ତମ ସ୍ଥାନରେ ରହିଥିବାବେଳେ ୫ମ ଧନୀ ମହିଳା ଭାବେ ସେ ପ୍ରାୟ ୨.୯୧ ଲକ୍ଷ କୋଟି ଟଙ୍କାର ଅଧିକାରୀ। ୨୦୨୦ରେ ସେ ୩.୪୩ ଲକ୍ଷ କୋଟି ଟଙ୍କାର ମାଲିକାଣୀ ଥିବାବେଳେ ଚଳିତବର୍ଷ ତାଙ୍କ ସମ୍ପତ୍ତି ହ୍ରାସ ପାଇଛି। ଟ୍ରାକ୍ଟର ଏବଂ କୃଷି ଉପକରଣ ନିର୍ମାଣକାରୀ କମ୍ପାନୀ ଅମଲାଗେମେଶନ୍ ଫାମିଲିର ମଲ୍ଲିକା ଶ୍ରୀନିବାସନ୍ ୨.୧୬ ଲକ୍ଷ କୋଟି ଟଙ୍କା ସହ ତାଲିକାର ୭୩ତମ ସ୍ଥାନରେ ରହିଛନ୍ତି। ଧନୀ ମହିଳାଙ୍କ ମଧ୍ୟରେ ସେ ଷଷ୍ଠରେ ରହିଛନ୍ତି।
ମହାମାରୀର ଦ୍ୱିତୀୟ ବର୍ଷରେ ଭାରତର ସବୁଠାରୁ ଧନୀ ଲୋକଙ୍କର ସମୁଦାୟ ଧନ ୫୦ ପ୍ରତିଶତ ବୃଦ୍ଧି ପାଇଛି। ଫୋର୍ବସ୍ ଅନୁଯାୟୀ ଭାରତର ୧୦୦ ଧନୀ ବ୍ୟକ୍ତିଙ୍କ ସମ୍ପତ୍ତି ହେଉଛି ୭୭୫ ବିଲିୟନ ଡ଼ଲାର୍।
Powered by Froala Editor