ସର୍ବୋଚ୍ଚ ସ୍ତରରେ ସୁନା, ୩ ଦିନରେ ବଢ଼ିଲାଣି ୪,୫୦୦ ଟଙ୍କା

ଧନ୍ତେରସ୍ ଥିବାବେଳେ ସୁନା ଏବଂ ରୁପା ଦର କ୍ଷୀପ୍ର ବେଗରେ ବଢ଼ିଚାଲିଛି । ପ୍ରତିଦିନ ଉଭୟ ଧାତୁ ଦରରେ ବୃଦ୍ଧି ଅବ୍ୟାହତ ରହିଛି । ଗତ ୩ ଦିନରେ ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ଦର ବଢ଼ିଲାଣି ୪,୫୦୦ ଟଙ୍କା । ଆଜି ପୁନଃ ନୂଆ ରେକର୍ଡ ସ୍ତରରେ ପହଞ୍ଚିଯାଇଛି ଉଭୟ ଧାତୁ ଦର ।
୧୦ ଗ୍ରାମ ପିଛା ୨୬୦୦ ଟଙ୍କା ବୃଦ୍ଧି ପାଇ ସୁନା ୧,୨୬,୬୦୦ ଟଙ୍କା ହୋଇଛି। ସରୋଫା ସଂଘର ସୂଚନା ଅନୁସାରେ ମଙ୍ଗଳବାର ୯୯.୯ ପ୍ରତିଶତ ଶୁଦ୍ଧ ସୁନା ଦାମ୍ ୭୦୦ ଟଙ୍କା ବୃଦ୍ଧି ପାଇ ୧,୨୪,୦୦୦ ଟଙ୍କା ପ୍ରତି ୧୦ ଗ୍ରାମ ରହିଥିଲା। ବୁଧବାର ୯୯.୫ ପ୍ରତିଶତ ଶୁଦ୍ଧ ସୁନା ୨୬୦୦ ଟଙ୍କା ବୃଦ୍ଧି ପାଇ ସର୍ବୋଚ୍ଚ ଦାମ ୧,୨୬,୬୦୦ରେ ପହଞ୍ଚିଛି। ରୁପା ଦାମ୍ ମଧ୍ୟ କିଲୋ ପିଛା ୩ ହଜାର ଟଙ୍କା ବୃଦ୍ଧି ପାଇ ୧,୫୭,୦୦୦ ଛୁଇଁଛି। ମଙ୍ଗଳବାର ରୁପା କିଲୋଗ୍ରାମ ପିଛା ୧,୫୪,୦୦୦ ଟଙ୍କା ଥିଲା।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ନୀତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି । ଏଭଳି ସ୍ଥିତିରେ ବାଣିଜ୍ୟ ଯୁଦ୍ଧ ଡରରେ ନିବେଶକ ସୁନାକୁ ସୁରକ୍ଷିତ ମଣି ଏଥିରେ ଅଧିକ ନିବେଶ କରୁଛନ୍ତି । ସେହିଭଳି ବିଭିନ୍ନ ଦେଶ ବିଶେଷ କରି ରୁଷ ଏବଂ ଚୀନ୍ ଭଳି ରାଷ୍ଟ୍ରଗୁଡ଼ିକର କେନ୍ଦ୍ରୀୟ ବ୍ୟାଙ୍କଗୁଡ଼ିକ ପ୍ରଚୁର ମାତ୍ରାରେ ସୁନା କିଣୁଛନ୍ତି । କୌଣସି ପ୍ରକାର ଆପାତ କାଳ ପାଇଁ ଏମାନେ ସୁନା କିଣି ନିଜକୁ ପ୍ରସ୍ତୁତ ରଖୁଛନ୍ତି ।
Powered by Froala Editor