କଂଗ୍ରେସକୁ ମିଳୁଥିବା ଚାନ୍ଦା ରାଶିରେ ବିପୁଳ ହ୍ରାସ, ଗୋଟିଏ ବର୍ଷରେ କମିଛି ୭୫ ପ୍ରତିଶତ
ନୂଆଦିଲ୍ଲୀ : କଂଗ୍ରେସକୁ ମିଳୁଥିବା ଚାନ୍ଦା ରାଶିରେ ବିପୁଳ ହ୍ରାସ ପରିଲକ୍ଷିତ ହୋଇଛି। ଗୋଟିଏ ବର୍ଷରେ ୭୫ ପ୍ରତିଶତ କମିଛି ଦଳକୁ ମିଳୁଥିବା ଚାନ୍ଦାର ପରିମାଣ। ଗତ ତିନି ବର୍ଷ ମଧ୍ୟରେ ୨୦୨୫-୨୬ ଆର୍ଥିକ ବର୍ଷରେ ସବୁଠାରୁ କମ୍ ଚାନ୍ଦା ପାଇଛି କଂଗ୍ରେସ। ନିର୍ବାଚନ ଆୟୋଗଙ୍କ ନିକଟରେ କଂଗ୍ରେସ ଦାଖଲ କରିଥିବା ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି।
ରିପୋର୍ଟ ଅନୁଯାୟୀ, ୨୦୨୫-୨୬ରେ କଂଗ୍ରେସକୁ ଚାନ୍ଦା ବାବଦରେ ମିଳିଛି ମୋଟ ୧୩୦.୭ କୋଟି ଟଙ୍କା, କିନ୍ତୁ ଏହାର ଠିକ୍ ବର୍ଷକ ପୂର୍ବରୁ ଅର୍ଥାତ୍ ୨୦୨୪-୨୫ରେ ଦଳ ପାଇଥିଲା ୫୧୭.୪ କୋଟି ଟଙ୍କା। ଅର୍ଥାତ୍ ଗୋଟିଏ ବର୍ଷରେ ଦାନ ରାଶି ପ୍ରାୟ ଏକ-ଚତୁର୍ଥାଂଶକୁ ଖସିଆସିଛି। କେବଳ ସେତିକି ନୁହେଁ, ରାଜନୈତିକ ଦଳଗୁଡ଼ିକୁ ମିଳିଥିବା ଚାନ୍ଦା ମଧ୍ୟରେ କଂଗ୍ରେସର ଭାଗ ମଧ୍ୟ କମିଛି। ୨୦୨୪-୨୫ରେ ମୋଟ ଚାନ୍ଦାର ୪୧.୮ ପ୍ରତିଶତ କଂଗ୍ରେସକୁ ମିଳିଥିବା ବେଳେ ୨୦୨୫-୨୬ରେ ଏହା ହ୍ରାସ ପାଇ ୧୯ ପ୍ରତିଶତରେ ପହଞ୍ଚିଛି। ୨୦୨୩-୨୪ ତୁଳନାରେ ୨୦୨୪-୨୫ରେ କଂଗ୍ରେସର ଦାନ ରାଶି ୮୪ ପ୍ରତିଶତ ବୃଦ୍ଧି ପାଇଥିଲା।
ଅନ୍ୟପଟେ, ୨୦୨୪-୨୫ରେ କୁପନ୍ ଜାରି କରି କଂଗ୍ରେସ ୩୫୦ କୋଟି ଟଙ୍କାରୁ ଅଧିକ ଅର୍ଥ ସଂଗ୍ରହ କରିଥିଲା। ଏଥର ବଡ଼ ଦାତାଙ୍କ ମଧ୍ୟରେ ଷ୍ଟାର ସିମେଣ୍ଟ ଲିମିଟେଡ୍ ୫ କୋଟି ଟଙ୍କା ଏବଂ ସଜ୍ଜନ ଭଜାଙ୍କା ୪ କୋଟି ଟଙ୍କା ଦାନ କରିଛନ୍ତି। ମୋଟ ୯ଟି ସଂସ୍ଥା ଏକ କୋଟି କିମ୍ବା ତା’ଠାରୁ ଅଧିକ ଟଙ୍କା ଦାନ କରିଥିବା ବେଳେ ସେମାନଙ୍କଠାରୁ ମୋଟ ୪୩ କୋଟି ଟଙ୍କା ଦଳକୁ ମିଳିଛି।
Powered by Froala Editor