ଜୁବିନ ଗର୍ଗଙ୍କ ମୃତ୍ୟୁ ମାମଲା, ସମ୍ପର୍କୀୟ ଭାଇ ଗିରଫ

ଆସାମର ପ୍ରସିଦ୍ଧ ଗାୟକ ଜୁବିନ ଗର୍ଗଙ୍କ ଅକାଳ ମୃତ୍ୟୁ ସମସ୍ତଙ୍କୁ ଚକିତ କରିଛି। ସିଙ୍ଗାପୁରରେ ସ୍କୁବା ଡାଇଭିଂ ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ପୁଲିସ ଏବେ ଏହି ମାମଲାରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜୁବିନ ଗର୍ଗଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମା ଏବଂ ସିଙ୍ଗାପୁର ମହୋତ୍ସବର ଆୟୋଜକ ଶ୍ୟାମକାନୁ ମହାନ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ତାଙ୍କ ସମ୍ପର୍କୀୟ ଭାଇ ସନ୍ଦିପନ ଗର୍ଗଙ୍କୁ ଗିରଫ କରାଯାଇଛି।
ସୂଚନା ଅନୁସାରେ, ସନ୍ଦିପନ ଗର୍ଗ ଆସାମ ପୁଲିସ ସେବା (ଏପିଏସ)ରେ ପୁଲିସ ଅଧୀକ୍ଷକ (ଭାରପ୍ରାପ୍ତ) ଭାବରେ କାର୍ଯ୍ୟ କରନ୍ତି। ତାଙ୍କୁ ଆସାମ ସିଆଇଡିର ଏସଆଇଟି ଗିରଫ କରିଛି। ସନ୍ଦିପନ, ଜୁବିନଙ୍କ ସହ ସିଙ୍ଗାପୁର ଯାଇଥିଲେ। ଗାୟକଙ୍କ ମୃତ୍ୟୁରେ ତାଙ୍କର ହାତ ଥିବା ସନ୍ଦେହ କରି ତାଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି।
ଜୁବିନ ଗର୍ଗଙ୍କ ମୃତ୍ୟୁ ସମ୍ପର୍କରେ CID କଠୋର କାର୍ଯ୍ୟାନୁଷ୍ଠାନ ନେଉଛି। ଏପର୍ଯ୍ୟନ୍ତ, CID ଏହି ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କରିଛି, ଯେଉଁଥିରେ ଇଭେଣ୍ଟ ଆୟୋଜକ ଶ୍ୟାମକାନୁ ମହାନ୍ତ, ଜୁବିନଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମା, ତାଙ୍କ ବ୍ୟାଣ୍ଡମେଟ୍ ଶେଖର ଜ୍ୟୋତି ଗୋସ୍ୱାମୀ, ସହ-କଣ୍ଠଶିଳ୍ପୀ ଅମୃତପ୍ରଭା ମହନ୍ତ ଏବଂ ବର୍ତ୍ତମାନ ତାଙ୍କ ଭାଇ, ଏପିଏସ ଅଧିକାରୀ ସନ୍ଦିପନ ଗର୍ଗ ସାମିଲ ଅଛନ୍ତି।
ଉଲ୍ଲେଖଯୋଘ୍ୟ, ସେପ୍ଟେମ୍ବର ୧୯ତାରିଖରେ ସିଙ୍ଗାପୁରରେ ସ୍କୁବା ଡାଇଭିଂ କରୁଥିବା ସମୟରେ ଜୁବିନ୍ ଗର୍ଗଙ୍କ ମୃତ୍ୟୁ ହୋଇଥିଲା। ଗାୟକଙ୍କ ଏଭଳି ଆକସ୍ମିକ ମୃତ୍ୟୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା।
Powered by Froala Editor