ନିରାଶ ହେଲେ ପ୍ରଶାନ୍ତ ଜଗଦେଵ, ମିଳିଲାନି ଆଗୁଆ ଜାମିନ
କଟକ: ନିରାଶ ହୋଇଛନ୍ତି ବିଧାୟକ ପ୍ରଶାନ୍ତ ଜଗଦେବ । ଆଗୁଆ ଜାମିନ ଦେବାକୁ ହାଇକୋର୍ଟ ଦେବାକୁ ମନା କରିଛନ୍ତି ।ହାଇକୋର୍ଟରେ ଜଗଦେବଙ୍କ ପକ୍ଷରୁ ଦର୍ଶାଯାଇଥିଲା ଯେ ଅକ୍ଟୋବର ୮ରେ ସେ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବାକୁ ଚାହାନ୍ତି । ଆତ୍ମସମର୍ପଣ କରି ନିମ୍ନ ଅଦାଲତରେ ଜାମିନ ପାଇଁ ଆବେଦନ କରିବାକୁ ସେ ଚାହାନ୍ତି ବୋଲି ଜଗଦେବଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଏଭଳି ଯୁକ୍ତିକୁ ବିଚାରକୁ ନେଇ ହାଇକୋର୍ଟ କହିଛନ୍ତି ଯେ ଶ୍ରୀ ଜଗଦେବ ଯଦି ନିମ୍ନ ଅଦାଲତରେ ଆତ୍ମସମର୍ପଣ କରନ୍ତି, ତେବେ ସେହିଦିନ ତାଙ୍କ ଜାମିନ ଆବେଦନର ଶୁଣାଣି ଶେଷ କରି ନିମ୍ନ ଅଦାଲତ ରାୟ ପ୍ରକାଶ କରିବେ। ଏତଲାକାରୀ-ପୀଡିତଙ୍କୁ ପକ୍ଷ ରଖିବାକୁ ନିମ୍ନ ଅଦାଲତ ସୁଯୋଗ ଦେବେ। ଏଥି ସହିତ ତଦନ୍ତକାରୀ ଅଧିକାରୀ ଜାମିନ ଆବେଦନ ଶୁଣାଣି ଦିନ ନିମ୍ନ ଅଦାଲତରେ ଅପ୍ ଟୁ ଡେଟ୍ କେସ୍ ଡାଏରି ଦାଖଲ କରିବେ ବୋଲି ହାଇକୋର୍ଟ କହିବା ସହିତ ଜଗଦେବଙ୍କ ଆଗୁଆ ଜାମିନ ଆବେଦନର ଶୁଣାଣିରେ ଅନ୍ତ ଘଟାଇଛନ୍ତି।ସୂଚନାଯୋଗ୍ୟ ବାଲୁଗାଁ ଏନଏସି କାର୍ୟ୍ୟାଳୟ ପରିସରରେ ବିଜେପି କର୍ମୀଙ୍କୁ ମାଡ଼ ମାରିବା ଅଭିଯୋଗ ନେଇ ଚିଲିକା ବିଧାୟକ ଜଗଦେବ ବିରୋଧରେ ବାଲୁଗାଁ ଥାନାରେ ମାମଲା ରୁଜୁ ହୋଇଥିଲା। ଏହାପରେ ତାଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଥିଲା।
Powered by Froala Editor