ନିଜର ପ୍ରଥମ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କଲେ ଚନ୍ଦନ କୁମାର

ବ୍ରହ୍ମପୁର: ଉଜବେକିସ୍ତାନ ତାସକେଣ୍ଟରେ ଚାଲିଥିବା ୧୨ ତମ ବିଶ୍ୱ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଭାରତ ପାଇଁ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଥିଲେ ବ୍ରହ୍ମପୁର ର ଚନ୍ଦନ କୁମାର ସାହୁ । ନିଜର ପ୍ରଥମ ଅନ୍ତର୍ଜାତୀୟ ପ୍ରତିଯୋଗିତା ହୋଇଥିଲେ ମଧ୍ୟ ନିଜ ବର୍ଗରେ (୬୦ କେଜି) ଶ୍ରେଷ୍ଠ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିବା ସହ ଦେଶ ପାଇଁ ଗୌରବ ଆଣିଛନ୍ତି । ଏଥି ସହ ଗଞ୍ଜାମ ଜିଲ୍ଲାର ପ୍ରଥମ ଖେଳାଳି ଭାବେ ଅନ୍ତର୍ଜାତୀୟ ପଦକ ହାସଲ କରିବାର କୀର୍ତ୍ତିମାନ ଲାଭ କରିଛନ୍ତି । ଚନ୍ଦନଙ୍କ ଘରପୁରୁଣା ବ୍ରହ୍ମପୁରର ଲକ୍ଷ୍ମୀ ନୃସିଂହ ସାହିରେ । ତାଙ୍କ ବାପା ବରା, ପକୋଡି, ଚା’ବିକି୍ର କରି ପରିବାର ଚଳାନ୍ତି । ପୁଅ ଉପରେ ଘରର ବୋଝ ନଲଦି ସେ କିପରି ପାଠପଢ଼ି ନିଜ ଗୋଡ଼ରେ ଠିଆ ହେବ ସେଥିପାଇଁ ବାପା ଉତ୍ସାହିତ କରୁଥିଲେ । ଏକ ଘରୋଇ ଶିକ୍ଷାନୁଷ୍ଠାନରେ ବିବିଏ ପାଠ ପଢ଼ୁଛନ୍ତି । ବଡିବିଲ୍ଡିଂ ପ୍ରତି ତାଙ୍କର ସ୍ୱତନ୍ତ୍ର ରୁଚି ରହିଥିଲା । କୋଭିଡ ମହାମାରୀ ପାଇଁ ପାଠପଢ଼ା ପ୍ରଭାବିତ ହୋଇଥିବା ବେଳେ ବଡିବିଲ୍ଡିଂ ଅଭ୍ୟାସ ପାଇଁ ତାଙ୍କୁ ଅଧିକ ସମୟ ମିଳିଥିଲା । ପୂର୍ବତନ ଜାତୀୟ ସ୍ୱର୍ଣ୍ଣପଦକ ବିଜେତା ଏସ ରାଜେଶ ବାବୁ ଆଚାରୀଙ୍କ ତତ୍ତ୍ୱାବଧାନରେ ସେ ପ୍ରାୟ ୮ ମାସ ହେବ ତାଙ୍କ ଜିମରେ ଅଭ୍ୟାସ ଜାରି ରଖିଥିଲେ । ଏପରିକି ଜିମ ହିଁ ତାଙ୍କର ଘର ପାଲଟି ଯାଇଥିଲା । କେବଳ ଖାଇବା ପାଇଁ ସେ ଯାହା ନିଜ ଘରକୁ ଯାଉଥିଲେ । କଠିନ ପରିଶ୍ରମର ଫଳ ସେ ପାଇଛନ୍ତି ବୋଲି ଚନ୍ଦନଙ୍କୁ ପ୍ରଶିକ୍ଷିତ କରାଇଥିବା ରାଜେଶ ପ୍ରକାଶ କରିଛନ୍ତି । ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ଚନ୍ଦନ ମନୋନୀତ ହେଲା ପରେ ଏଥିରେ ଭାଗ ନେବା ପାଇଁ ଆବଶ୍ୟକ ଅର୍ଥରାଶି ତାଙ୍କ ପାଖରେ ନଥିଲା । କିନ୍ତୁ ଦେଶ ପାଇଁ ଖେଳିବାର ସୁଯୋଗକୁ ହାତ ଛଡ଼ା ନ କରିବା ପାଇଁ ଧାର କରଜ କରି ସେ ଆବଶ୍ୟକ ଅର୍ଥ ଯୋଗାଡ କରି ତାସକେଣ୍ଟ ଯାଇଥିବା ରାଜେଶ ସୂଚନା ଦେଇଛନ୍ତି । ଚନ୍ଦନ ଓ ରାଜେଶଙ୍କୁ ଓଡ଼ିଶା ସୁନ୍ଦର ସ୍ୱାସ୍ଥ୍ୟ ସଂଘର ସଭାନେତ୍ରୀ ସୁମିତ୍ରା ତି୍ରପାଠୀ, ସମ୍ପାଦକ ପ୍ରସନ୍ନ କୁମାର ମହାସୁଆର, ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ ଗୁରୁ, ଭେନୁଗୋପାଳ ରାଓ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି ।
Powered by Froala Editor