ପିପିଲି ଭୋଟ : ଇଭିଏମ ଖରାପ, ଗଣାହେବ ଭିଭିପାଟ
ଭୁବନେଶ୍ୱର : ପିପିଲି ଭୋଟ ଗଣତି ଜାରି ରହିଥିବାବେଳେ ଗୋଟିଏ ଇଭିଏମ ଖରାପ ଥିବା ଜଣାପଡ଼ିଛି । ଆଙ୍କୋଇ ଗ୍ରାମର ୫୪ ନମ୍ବର ବୁଥରେ ଗୋଟିଏ ଇଭିଏମ ଖରାପ ଅଛି । ଅର୍ଥାତ ସେହି ଇଭିଏମରେ କେତେ ଭୋଟ ପଡ଼ିଛି ତାହା ଜଣାପଡ଼ିପାରୁନାହିଁ । ତେଣୁ ପଂଚମ ରାଉଣ୍ଡ ଭୋଟ ଗଣତି ବିଳମ୍ବିତ ହେଉଥିବା ଜାଣିବାକୁ ମିଳିଛି । ତେବେ ଭିଭିପାଟ ଗଣତି କରି ସେହି ଇଭିଏମର ଭୋଟ ଗଣତି କରାଯିବ ବୋଲି ସୂଚନା ମିଳିଛି ।
ଅପରପକ୍ଷରେ ଏଯାବତ ବିଜେଡ଼ି ୧୮୨୮୭ ଖଣ୍ଡ ଭୋଟ ପାଇଥିବାବେଳେ ବିଜେପି ୧୨୯୧୩ ଖଣ୍ଡ ଭୋଟ ପାଇଛି । ଅପରପକ୍ଷରେ ପ୍ରଥମ ରାଉଣ୍ଡରେ ୭ ଶହରୁ ଉଦ୍ଧ୍ୱର୍ ଭୋଟ ପାଇଥିବା କଂଗ୍ରେସ ପରବର୍ତୀ ରାଉଣ୍ଡରେ ଆଣ୍ଠେଇ ଯାଇଛି । ଦଳକୁ ଏଯାବତ ମାତ୍ର ୧୩୮୨ ଖଣ୍ଡ ଭୋଟ ମିଳିଛି । ସେହିପରି ବିଜେଡ଼ି ପ୍ରାର୍ଥୀ ରୁଦ୍ର ମହାରଥି ଏବେ ୫୩୭୪ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି ।
ତେବେ ଇଭିଏମ କିଭଳି ଖରାପ ହୋଇଛି ତାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ନାନାମୁନିଙ୍କ ନାନାମତ ଭଳି ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳୁଛି । ତେବେ ଇଭିଏମ ତ୍ରୁଟି ନେଇ ଆନୁଷ୍ଠାନିକ ଭାବେ କୌଣସି ସୂଚନା ମିଳିପାରିନାହିଁ ।
ଚଳିତ ଉପନିର୍ବାଚନରେ ୧୯୯୫ ପରେ ସର୍ବାଧିକ ମତଦାନ ହୋଇଛି । ନିର୍ବାଚନମଣ୍ଡଳୀରେ ୨ ଲକ୍ଷ ୨୯ ହଜାର ୯୧୮ ଭୋଟର ଥିବାବେଳେ ୭୮.୨୫ ପ୍ରତିଶତ ମତଦାନ କରିଛନ୍ତି । ୯୫ ହଜାର ୩୮୩ ଜଣ ପୁରୁଷ ଓ ୮୪ ହଜାର ୫୯୭ ଜଣ ମହିଳା ମତଦାନ କରିଛନ୍ତି । ମୋଟ ଉପରେ ୧ ଲକ୍ଷ ୭୯ ହଜାର ୯୮୦ ଜଣ ମତଦାନ କରିଥିବାବେଳେ କିଏ ବାଜିମାତ କରିବ ତାହାକୁ ନେଇ ଉତ୍କଣ୍ଠା ଲାଗିରହିଛି ।
Powered by Froala Editor