ଅତ୍ୟାଧୁନିକ ଗ୍ରାହକ ବିଲିଂ ବ୍ୟବସ୍ଥାର ଶୁଭାରମ୍ଭ
ଭୁବନେଶ୍ବର: ବିଦ୍ୟୁତ ଗ୍ରାହକଙ୍କୁ ଗୁଣାତ୍ମକ ସେବା ଯୋଗାଣ ଦିଗରେ ଅନ୍ୟ ଏକ ପଦକ୍ଷେପ । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଦ୍ଵାରା ଅତ୍ୟାଧୁନିକ ଗ୍ରାହକ ବିଲିଂ ବ୍ୟବସ୍ଥାର ଶୁଭାରମ୍ଭ । ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ, ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବଙ୍କ ଉପସ୍ଥିତିରେ ଲୋକସେବା ଭବନରୁ ଏହି ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି ।
ମୁଖ୍ୟ ଶାସନ ସଚିବ କହିଛନ୍ତି, ପ୍ରଯୁକ୍ତିବିଦ୍ୟା ଆଧାରିତ ଏହି ନୂଆ ବ୍ୟବସ୍ଥା ଉଭୟ ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ପ୍ରସ୍ତୁତ । ଏଥିରେ ସ୍ମାର୍ଟ ମିଟର ରିଡିଙ୍ଗ, ସ୍ମାର୍ଟ ଗ୍ରୀଡ୍, ପ୍ରି-ପେଡ୍ ମୋଡ୍ ସହ ଛାତ ଉପର ସୌର ପ୍ରକଳ୍ପରୁ ଉତ୍ପନ ୟୁନିଟ୍ର ସଠିକ ହିସାବ ଆଦିର ବ୍ୟବସ୍ଥା ରହିଛି ।ବ୍ୟବସ୍ଥାଟିକୁ ପୂର୍ଣ୍ଣମାତ୍ରାରେ ୩୬୦ ଡିଗ୍ରୀ ତୃଟି ମୁକ୍ତ ଓ ଦୃଶ୍ୟମାନ କରି ସେବା ଯୋଗାଣରେ ଗୁଣାତ୍ମକ ରୂପାନ୍ତରଣ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ବିଦ୍ୟୁତ ଯୋଗାଣରେ ହେଉଥିବା ବୈଷୟିକ ଓ ବ୍ୟବସାୟିକ କ୍ଷତି କମାଇବା ପାଇଁ ବିଦ୍ୟୁତ ବିତରକ କମ୍ପାନୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳ କହିଛନ୍ତି, ନୂଆ ବ୍ୟବସ୍ଥାରେ ରାଜ୍ୟର ପ୍ରାୟ ୭୩ ଲକ୍ଷ ବିଦ୍ୟୁତ ଗ୍ରାହକଙ୍କୁ ତ୍ଵରିତ ବିଦ୍ୟୁତ ସଂଯୋଗ, ନିର୍ଭୁଲ ବିଲ୍, ବିଭିନ୍ନ ମୋଡ୍ରେ ଅନ୍ଲାଇନ୍ ବିଲ୍ ପୈଠ ବ୍ୟବସ୍ଥା ଆଦି ଯୋଗାଇବ । ଏହା ଛଡ଼ା ସ୍ବତନ୍ତ୍ର ଗ୍ରାହକ ସେବା କେନ୍ଦ୍ର, କେନ୍ଦ୍ରୀୟ ହେଲ୍ପ୍ - ଡେସ୍କ ଏବଂ ଅତ୍ୟାଧୁନିକ ଡାଟା ସେଣ୍ଟର୍ ଆଦିର ବ୍ୟବସ୍ଥା ରହିବ ।ଏହି ନୂଆ ବ୍ୟବସ୍ଥାରେ ଗ୍ରାହକ ସୁବିଧା ପାଇଁ ବହୁମୁଖୀ ପ୍ରଯୁକ୍ତିବିଦ୍ୟା ମଡେଲ୍ ପ୍ରୟୋଗ କରାଯାଇଛି । କ୍ଲାଉଡରେ ଆପଦକାଳୀନ ତଥ୍ୟ ପୁନରୁଦ୍ଧାର ବ୍ୟବସ୍ଥା ରହିଛି । ଟି.ପି.ଏନ୍.ଓ.ଡି.ଏଲ୍ (ପୂର୍ବର ନେସ୍କୋ), ଟି.ପି.ଡବ୍ଲ୍ୟୁ.ଓ.ଡି.ଏଲ୍ (ପୂର୍ବର ୱେସ୍କୋ) ଏବଂ ଟି.ପି.ଏସ୍.ଓ.ଡି.ଏଲ୍ (ପୂର୍ବର ସାଉଥକୋ ) ଅଞ୍ଚଳ ଅନ୍ତର୍ଭୁକ୍ତ ୫୧୭ଟି ବିଦ୍ୟୁତ ବିତରକ କମ୍ପାନୀ କାର୍ୟ୍ୟାଳୟକୁ ପ୍ରଯୁକ୍ତିବିଦ୍ୟା, କମ୍ପ୍ୟୁଟର ଏବଂ ନେଟ୍ୱାର୍କ ଯନ୍ତ୍ରପାତି ଆଦି ସହ ନବୀକୃତ କରାଯିବ ।ସମନ୍ବିତ ବିଦ୍ୟୁତ ଯୋଗାଣ ବିକାଶ ପ୍ରକଳ୍ପରେ କରାଯାଇଥିବା ଏହି ନୂଆ ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ୧୧୭ କୋଟି ଏବଂ କେନ୍ଦ୍ର ସରକାର ୪୨ କୋଟି ଟଙ୍କା ଅନୁଦାନ ପ୍ରଦାନ କରିଛନ୍ତି। ଏହି ନୂଆ ବ୍ୟବସ୍ଥା ମାଧ୍ୟମରେ ଡିଜିଟାଲ ଏବଂ ଅନ୍ଲାଇନ୍ ମୋଡ୍ରେ ବିଭିନ୍ନ ବିଦ୍ୟୁତ୍ ସେବା ଯୋଗାଣ ହେବ । ବିତରକ କମ୍ପାନୀମାନଙ୍କର ବିଭିନ୍ନ ଡିଭିଜନ୍ରେ ଥିବା ଯନ୍ତ୍ରପାତି, ଉପକରଣ ଏବଂ ଅନ୍ୟାନ୍ୟ ଅବ୍ୟବହୃତ ସାଧନର ରିଅଲ୍ ଟାଇମ୍ ତଥ୍ୟ ମିଳି ପାରିବ । ଫଳରେ ଆବଶ୍ୟକ ସ୍ଥାନକୁ ଏହା ତୁରନ୍ତ ନିଆଯାଇ କାମରେ ଲଗାଯାଇପାରିବ ।
ନୂଆ ବିଦ୍ୟୁତ୍ ସଂଯୋଗ, ବିଲ୍ ପେମେଣ୍ଟ, କୌଣସି ସଂଶୋଧନ ଆଦି ବିଷୟରେ ଗ୍ରାହକମାନେ ଆରମ୍ଭରୁ ଶେଷ ପର୍ୟ୍ୟନ୍ତ ପ୍ରତି ପର୍ୟ୍ୟାୟରେ ପ୍ରତିଟି ସଦ୍ୟତମ ସ୍ଥିତି ଜାଣିପାରିବେ । ପ୍ରତି ବିତରକ କମ୍ପାନୀ ଅଞ୍ଚଳରେ ସ୍ବତନ୍ତ୍ର ଗ୍ରାହକ ସେବା କେନ୍ଦ୍ର କାର୍ୟ୍ୟ କରିବ । ନୂଆ ବ୍ୟବସ୍ଥା ମାଧ୍ୟମରେ ସେବା ଯୋଗାଣର ଗୁଣାତ୍ମକ ମାନ ବଢ଼ାଇବା ସହ ବିଦ୍ୟୁତ୍ ଯୋଗାଣରେ ବୈଷୟିକ ଏବଂ ବ୍ୟବସାୟିକ କ୍ଷତିକୁ ବର୍ଗମାନର ୩୦ ପ୍ରତିଶତରୁ ୧୫ ପ୍ରତିଶତ ପର୍ୟ୍ୟନ୍ତ କମାଇବାର ଲକ୍ଷ୍ୟ ରଖାଯାଇଛି ।ବାର୍ଷିକ ୨ ରୁ ୩ ପ୍ରତିଶତ ପର୍ୟ୍ୟନ୍ତ କ୍ଷତି କମାଇବା ପାଇଁ ଲକ୍ଷ୍ୟ ଧାର୍ୟ୍ୟ କରାଯାଇଛି ବୋଲି ଓଡ଼ିଶା ବିଦ୍ୟୁତ୍ ସରବରାହ ନିଗମ ଲି. ( ଓ.ପି.ଟି.ସି.ଏଲ ) ର ବରିଷ୍ଠ ଅଧିକାରୀ କହିଛନ୍ତି । ଓ.ପି.ଟି.ସି.ଏଲ୍ ମାଧ୍ୟମରେ ପ୍ରସ୍ତୁତ ଏହି ନୂଆ ବ୍ୟବସ୍ଥା ଫୁଏଗ୍ରୀଜ୍ ଏବଂ ବୋସେକ୍ ଇଣ୍ଡିଆଙ୍କ ବୈଷୟିକ ସହଯୋଗିତାରେ ପରିଚାଳିତ ହେବ । ଅନ୍ୟମାନଙ୍କ ମଧ୍ୟରେ ଓ.ପି.ଟି.ସି.ଏଲର ପରିଚାଳନା ନିର୍ଦ୍ଦେଶକ ସଂଜୟ ମିଶ୍ର, ଗ୍ରୀଡ଼କୋର ପରିଚାଳନା ନିର୍ଦ୍ଦେଶକ ଭର୍ଦ୍ଦେଶଭାଇ ମେହେଟ୍ଟା, ଜେନେରାଲ୍ ମ୍ୟାନେଜର ପ୍ରିୟଦର୍ଶନ ପାତ୍ରଙ୍କ ସମେତ ଟାଟା ପାୱାର ବିତରକ କମ୍ପାନୀର ବରିଷ୍ଠ ଅଧିକାରୀ କାର୍ୟ୍ୟକ୍ରମରେ ଉପସ୍ଥିତ ଥିଲେ ।
Powered by Froala Editor