ପାକିସ୍ତାନ ହାତରେ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’ ସମ୍ପର୍କିତ ଗୋପନୀୟ ତଥ୍ୟ!
ବାଲେଶ୍ୱର : ଭାରତୀୟ ପ୍ରତିରକ୍ଷା ବିଭାଗର ‘ବ୍ରହ୍ମାସ୍ତ୍ର’ କୁହାଯାଉଥିବା ଅତ୍ୟାଧୁନିକ କ୍ଷେପଣାସ୍ତ୍ର ‘ବ୍ରହ୍ମୋସ’ ସମ୍ପର୍କିତ ଗୋପନୀୟ ତଥ୍ୟ ପାକିସ୍ତାନ ହାତରେ ଲାଗିଥିବା କୁହାଯାଉଛି । ଡିଆରଡିଓ ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଧରାପଡ଼ିଥିବା ୪ ଠିକା କର୍ମଚାରୀ ସୁପରସୋନିକ କ୍ରୁଜ ମିସାଇଲ ‘ବ୍ରହ୍ମୋସ’ ସମ୍ପର୍କିତ ଗୋପନୀୟ ତଥ୍ୟ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇକୁ ଲିକ କରିଛନ୍ତି । ଘାଟିରେ ଥିବା ଗୋଳାବାରୁଦ କାରଖାନାର ମ୍ୟାପ ଓ ଘାଟିର ଅବସ୍ଥିତି ସମ୍ପର୍କିତ ଭିଡିଓ ରେକର୍ଡ କରି ଏହି ଠିକା କର୍ମଚାରୀ ପାକିସ୍ତାନ ପଠାଇଥିବା ସନେ୍ଦହ କରାଯାଉଛି । ଗଲା ପ୍ରାୟ ୬ରୁ ୭ ମାସ ହେବ ଏମାନେ କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ପାକିସ୍ତାନକୁ ତଥ୍ୟ ଲିକ କରିଆସୁଥିବା ବେଳେ ଶେଷରେ ଦିଲ୍ଲୀସ୍ଥିତି ଗୁଇନ୍ଦା ମୁଖ୍ୟାଳୟର ସ୍କାନରକୁ ଆସିଥିଲେ । ଦିଲ୍ଲୀରୁ ସୂଚନା ପାଇବା ପରେ ଓଡ଼ିଶା ଗୁଇନ୍ଦା ବିଭାଗର ହୋସ ଉଡ଼ିଯାଇଥିଲା । ବାଲେଶ୍ୱର ପୁଲିସ ଏହି ୪ଜଣଙ୍କୁ ଚାନ୍ଦିପୁରରୁ ଗିରଫ କରବିା ପରେ ଆଉ କେହି ଏଭଳି କାରବାରରେ ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ କ୍ରାଇମବ୍ରାଞ୍ଚ ଏସଆଇଟି ଗଠନ କରି ତଦନ୍ତ ଆରମ୍ଭ କରିଛି । ଗିରଫ ଏହି ୪ ଜଣ ଠିକା କର୍ମଚାରୀଙ୍କ ନାଁ ଆଜି ପୁଲିସ ପ୍ରକାଶ କରିଛି । ସେମାନଙ୍କ ମଧ୍ୟରୁ ମାଷ୍ଟରମାଇଣ୍ଡ କୁହାଯାଉଥିବା ଚାନ୍ଦିପୁର ଥାନା ଝାମ୍ପୁରା ଗ୍ରାମର ବସନ୍ତ ବେହେରା (୫୨), ଯିଏକି ଆଇଟିଆରରେ ଏସି ଅପରେଟର ଭାବେ କାମ କରୁଥିଲେ । ଅନ୍ୟମାନେ ହେଲେ, ଚାନ୍ଦିପୁର ଥାନା ଶ୍ରୀକୋଣା ଗ୍ରାମର ସେକ ମୁସାଫିର (୩୨), ଜେନେରେଟର ଅପରେଟର ଥିବା ସଦର ଥାନା ବୁଆଁଳ ଅଞ୍ଚଳର ହେମନ୍ତ କୁମାର ମିସ୍ତ୍ରି (୫୨) ଓ ଆଇଟିଆର ମେନ ଗେଟରେ କର୍ମଚାରୀ ଥିବା ସଦର ଥାନା ପାଳସିଆ ଅଞ୍ଚଳର ତାପସ ରଂଜନ ନାୟକ (୪୧) । ବାଲେଶ୍ୱର ଏସପି ସୁଧାଂଶୁ ଶେଖର ମିଶ୍ର କହିଛନ୍ତି ଯେ ଅଭିଯୁକ୍ତମାନଙ୍କର ସୋସିଆଲ ମିଡିଆ ଆକାଉଣ୍ଟ, ଫୋନ କଲ ଓ ମେସେଜରେ ଆଇଟିଆରର ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଓ ସୂଚନା ବାହାର ରାଷ୍ଟ୍ରକୁ ପ୍ରଘଟ କରାଯାଇଛି । ଏହାପଛରେ ଆଉ କେଉଁମାନଙ୍କର ହାତ ରହିଛି, ସେ ବାବଦରେ ଖୋଳତାଡ଼ ଜାରି ରହିଛି ।
Powered by Froala Editor