ଦମନ ଲୀଲା ବନ୍ଦ କରି ପ୍ରତିବାଦକାରୀଙ୍କ କଥା ଶୁଣନ୍ତୁ ତାଲିବାନ ସରକାର: ଜାତିସଂଘ
ସରକାର ଚଳାଇବା ନାଁରେ ଅତ୍ୟାଚାରର ସୀମା ଟପୁଛି ତାଲିବାନ । ଯେଉଁମାନେ ପ୍ରତିବାଦ କରୁଛନ୍ତି ସେମାନଙ୍କୁ ବିଚ୍ ରାସ୍ତାରେ ନିର୍ଯାତନା ନହେଲେ ମୃତ୍ୟୁର ସାମ୍ନା କରିବାକୁ ପଡୁଛି । ମହିଳାଙ୍କୁ ତ ତାଲିବାନୀମାନେ ପାଦର ଧୂଳି ଭଳି ବ୍ୟବହାର କରୁଛନ୍ତି । ଏ ସମ୍ପର୍କର୍ରେ ଯେକେହି ବି ଖବର ପ୍ରସାରଣ କରୁଛନ୍ତି ସେ ସାମ୍ବାଦିକଙ୍କୁ ଛଡାଯାଉନି । ପ୍ରତିବାଦକାରୀ ଓ ସାମ୍ବାଦିକମାନଙ୍କ ଉପରେ ତାଲିବାନ୍ ଚଳାଇଥିବା ଦମନ ଅଭିଯାନ ଲାଗି ଜାତିସଂଘ ଉଦ୍ବେଗ ପ୍ରକାଶ କରିବା ସହ ନିନ୍ଦା କରିଛି । ଶାନ୍ତିପୂର୍ଣ୍ଣ ଭାବେ ସମବେତ ହୋଇ ଅଧିକାର ସାବ୍ୟସ୍ତ କରୁଥିବା ବ୍ୟକ୍ତିବିଶେଷଙ୍କ ଉପରେ ବଳ ପ୍ରୟୋଗ ହ୍ରାସ କରିବା ସହ ର୍ନିବିଚାର ଭାବେ ଅଟକ ରଖାଯିବା ଅଭିଯାନ ବନ୍ଦ କରିବା ଲାଗି ଜାତିସଂଘ ତାଲିବାନକୁ କହିଛି ।
ଶୁକ୍ରବାର ଦିନ ଜାରି କରିଥିବା ବିବୃତିରେ ୟୁଏନ୍ ହାଇ କମିଶନର୍ ଫର୍ ହ୍ୟୁମାନ୍ ରାଇଟ୍ସ୍ଙ୍କ ମୁଖପାତ୍ରୀ ରବିନା ସାମଦସନି କହିଛନ୍ତି, ଗତ ଚାରି ସପ୍ତାହ ହେବ ଆଫଗାନିସ୍ତାନର କେତେକ ପ୍ରଦେଶରେ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦ ଚଳାଇଥିବା ବ୍ୟକ୍ତିମାନେ ତାଲିବାନରେ ଆଗ୍ନେୟାସ୍ତ୍ର, ବେଟନ୍ ଏବଂ ଚାବୁକ ପ୍ରହାର ପ୍ରୟୋଗ ସମେତ ଅନେକ ଅତ୍ୟାଚାରର ସମ୍ମୁଖୀନ ହୋଇ ଆସୁଛନ୍ତି ।
କିଛି ଦିନ ପୂର୍ବେ ତାଲିବାନୀ ସରକାର ବିରୋଧରେ କିଛି ମହିଳା ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ୨ ଫଟୋ ସାମ୍ବାଦିକ ଏହି ଖବର ସଂଗ୍ରହ କରୁଥିଲେ । ଏପରି ସ୍ଥିତିରେ ତାଲିବାନୀମାନେ ସେମାନଙ୍କୁ ପଶୁ ପରି ପିଟିବା ସହ ୨ ସାମ୍ବାଦିକଙ୍କୁ ଥାନାକୁ ନେଇ ଲୁହା ରଡରେ ପିଟିଥିଲେ । ଏପରିକି ସେମାନେ ରକ୍ତାକ୍ତ ହୋଇ ଯିବାର ଫଟୋ ଭାଇରାଲ ହୋଇଥିଲା । ଏହାକୁ ନେଇ ମୁହଁ ଖୋଲିଛି ୟୁଏନ୍(ସଂଯୁକ୍ତ ରାଷ୍ଟ୍ର) ।
ସେ ଆହୁରି ମଧ୍ୟ କହିଛନ୍ତି, ଦେଶରେ ଘୋର ଅନିଶ୍ଚିତତା ସମୟରେ ଆଫଗାନ ନାରୀ ଓ ପୁରୁଷମାନେ ରାସ୍ତାକୁ ବାହାରି ଆସି, କାର୍ଯ୍ୟ କରିବା ପାଇଁ ନାରୀମାନଙ୍କ ଅଧିକାର, ଚଳପ୍ରଚଳ ସ୍ୱାଧୀନତା, ଅଧ୍ୟୟନ ଏବଂ ରାଜନୀତିରେ ଅଂଶଗ୍ରହଣ ଆଦି ମାନବିକ ଦାବି ଉପସ୍ଥାପନ କରି ଶାନ୍ତିପୂର୍ଣ୍ଣ ପ୍ରତିବାଦ ଚଳାଇଛନ୍ତି । କ୍ଷମତାସୀନ ବ୍ୟକ୍ତିମାନେ ସେମାନଙ୍କ କଥା ଶୁଣିବା ଉଚିତ ।
ସୂଚନାଯୋଗ୍ୟ, ତାଲିବାନ ଦ୍ୱାରା ଆଫଗାନିସ୍ତାନରେ କାମଚଳା ସରକାର ଗଠନ ପରେ ଏହା ବିରୋଧରେ ଦେଶର ବିଭିନ୍ନ କୋଣରେ ପ୍ରତିବାଦ଼ର ସ୍ୱର ତେଜି ଉଠୁଛି । କ୍ଷମତାକୁ ଆସିବା ପରେ ମହିଳାଙ୍କ ଅଧିକାର ଓ ସ୍ୱାଧୀନତାକୁ ପାଦରେ ଦଳି ମକଚି ରଖିଦେଇଛି ନିଷ୍ଠୁର ତାଲିବାନୀ ସରକାର । ତାଲିବାନ ସରକାରରେ ମହିଳାଙ୍କୁ କୌଣସି ସ୍ଥାନ ମିଳି ନଥିବା ବେଳେ ସେମାନଙ୍କ ନିକଟରୁ କର୍ମ ସଂସ୍ଥାନ ଛଢ଼ାଇ ନିଅଯାଇଛି । ଶିକ୍ଷା କ୍ଷେତ୍ରରେ ବି ଲଗାଯାଇଛି ପ୍ରତିବନ୍ଧକ । ଏପରିକି ପୁଅଙ୍କ ସହ ମିଶି ପଢିପାରିବେନି ବୋଲି ଲାଗୁ ହୋଇଛି କଟକଣା । ଏଭଳି ନୀତି ଚାଲିଲେ ଦେଶରେ ପ୍ରତିବାଦର ସ୍ୱର ତୀବ୍ର ହେବ ବୋଲି ନାଗରିକମାନେ ଚେତାବନୀ ଦେଇଛନ୍ତି ।
Powered by Froala Editor