ନିର୍ମାଣ ହେବ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ
ସୌରଭ ଗାଙ୍ଗୁଲିଙ୍କ ଜୀବନୀକୁ ନେଇ ନିର୍ମାଣ ହେବାକୁ ଯାଉଛି ଫିଲ୍ମ । ସେ ନିଜେ ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଟ୍ୱିଟ ଜରିଆରେ ସେ ସୂଚନା ଦେଇଛନ୍ତି ଯେ ତାଙ୍କ କ୍ୟାରିଅର ଉପରେ ଏକ ଫିଲ୍ମ ହେବାକୁ ଯାଉଛି। ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଟ୍ୱିଟ କରି ଲେଖିଛନ୍ତି, ‘କ୍ରିକେଟ ମୋ ଜୀବନ। ଏହା ମୋତେ ଆତ୍ମବିଶ୍ୱାସ ଦେଇଛି ଓ ଦକ୍ଷତା ଦେଇଛି ଯେଉଁଥିପାଇଁ ମୁଁ ମୁଣ୍ଡ ଟେକି ଆଗକୁ ବଢି ପାରିଛି। ଏମିତି ଏକ ଯାତ୍ରା ଯାହାକୁ ମନେ ରଖିହେବ। ଏଇଥିପାଇଁ ଖୁସି ଯେ ଲଭ ଫିଲ୍ମସ ମୋ କ୍ୟାରିଅର ଯାତ୍ରାକୁ ନେଇ ବାୟୋପିକ ନିର୍ମାଣ କରିବ ଓ ଏହାକୁ ବଡ ପରଦାକୁ ଆଣିବ।’
ସୌରଭଙ୍କ ବାୟୋପିକକୁ ନେଇ ଲବ ରଞ୍ଜନ ଓ ଅଙ୍କୁର ଗର୍ଗ ଫିଲ୍ମ ନିର୍ମାଣ କରିବେ । ଏନେଇ ଲବ ରଞ୍ଜନ ଇନଷ୍ଟାଗ୍ରାମରେ ଘୋଷଣା କରିବା ସହ କହିଛନ୍ତି, ଖେଳ ଆରମ୍ଭ । ତେବେ ଫିଲ୍ମରେ ତାଙ୍କ ଚରିତ୍ରରେ କେଉଁ ଅଭିନେତାଙ୍କୁ ଦେଖିବାକୁ ମିଳିବ, ସେ ନେଇ କୌଣସି ସୂଚନା ଦିଆଯାଇନାହିଁ।
ଭାରତୀୟ କ୍ରିକେଟର ଦାଦା ଭାବେ ଜଣାଶୁଣା ସୌରଭ ନିଜ କ୍ୟାରିୟରରେ ଅନେକ ରେକର୍ଡ ହାସଲ କରିଛନ୍ତି । ବିଦେଶରେ ବିଜୟଠାରୁ ଆରମ୍ଭ କରି ଯୁବ କ୍ରିକେଟରଙ୍କୁ ପ୍ରତିଭା ସମ୍ପନ୍ନ କ୍ରିକେଟର ଭାବେ ଗଢି ତୋଳିବା କ୍ଷେତ୍ରରେ ସୌରଭଙ୍କ ଅବଦାନ ଅତୁଳନୀୟ । ଗାଙ୍ଗୁଲି ଭାରତୀୟ କ୍ରିକେଟକୁ ଏକ ନୂଆ ପରିଚୟ ଦେଇଥିଲେ । ଆକ୍ରମଣାତ୍ମକ ଶୈଳୀରେ ବ୍ୟାଟିଂ କରିବା ହେଉ କି ସଠିକ୍ ସମୟରେ ୱିକେଟ ନେଇ ଦଳ ପାଇଁ ସୁରକ୍ଷା କବଚ ସାଜିବା ହେଉ, ସବୁଥିରେ ପାରଙ୍ଗମ ଥିଲେ ସୌରଭ । ବିଦେଶ ମାଟିରେ ଦଳକୁ ବିଜୟ ଭେଟି ଦେବାର ଧାରା ସୌରଭଙ୍କ ପାଖରୁ ଆରମ୍ଭ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।
Powered by Froala Editor