ଆଜି ରାଜ୍ୟରେ ଆଉ ୮ଜଣଙ୍କ ଜୀବନ ନେଲା କୋରୋନା

ଭୁବନେଶ୍ବର: କିଛି ଦିନ ହେବ କୋରୋନା ମୃତ୍ୟୁ ରିପୋର୍ଟରୁ ଟିକେ ଆଶ୍ବସ୍ତି ମିଳିଛି । ରିପୋର୍ଟ ଅନୁସାରେ ଦୈନିକ ୬୦ରୁ ଅଧିକ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ ଏ ଧାରାରେ ବ୍ରେକ ଲାଗିଛି । ଆଜି(ଗୁରୁବାର) ରାଜ୍ୟରେ ଆଉ ୮ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଦୁଇ ଦିନ ଧରି ମୃତ୍ୟୁସଂଖ୍ୟା ୮ରେ ସୀମିତ ରହିଛି ।
ଆଜିର ମୃତକଙ୍କ ମଧ୍ୟରେ ଅନୁଗୋଳ ଜିଲ୍ଲାରୁ ୩ଜଣ ଥିବା ବେଳେ ଖୋର୍ଦ୍ଧାରୁ ୨ ଏବଂ ମୟୂରଭଞ୍ଜ, ଯାଜପୁର ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ଆଜିର ମୃତ୍ୟୁ ରିପୋର୍ଟକୁ ମିଶାଇ ରାଜ୍ୟରେ କୋରୋନାଜନିତ ମୃତ୍ୟୁସଂଖ୍ୟା ୮,୦୭୮କୁ ବୃଦ୍ଧି ହୋଇଛି ।୨୪ ଘଣ୍ଟାରେ ୭୭୧ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୧୦୦ରୁ ଅଧିକ ୧୮ ବର୍ଷରୁ କମ୍ ରହିଛନ୍ତି । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୪ ହଜାର ୩୩୮ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୯୯ ହଜାର ୧୬୫ଜଣ ସୁସ୍ଥ ହୋଇସାରିଛନ୍ତି । ୭ ହଜାର ୪୨ଜଣ ଚିକିତ୍ସାଧୀନ ଅଛନ୍ତି ।
Powered by Froala Editor