ମାଳଭୂମିର ମାଣ୍ଡା ମଇଁଷିକୁ ସ୍ୱତନ୍ତ୍ର ମାନ୍ୟତା
କୋରାପୁଟ ମାଳଭୂମିରେ ଦେଖାଯାଉଥିବା ମାଣ୍ଡା ମଇଁଷିକୁ ଜାତୀୟସ୍ତରରେ ମାନ୍ୟତା ମିଳିଛି । ରାଷ୍ଟ୍ରୀୟ ପଶୁ ସଂଶାଧନ ବ୍ୟୁରୋ(ଏନ୍ଜିଏଜିଆର) ଏହାକୁ ସ୍ୱୀକୃତି ଦେଇଛି । ଏହି ମଇଁଷି ସ୍ୱତନ୍ତ୍ର ପ୍ରଜାତିର ବୋଲି ବ୍ୟୁରୋ କହିଛି । ତେବେ ସ୍ୱତନ୍ତ୍ର ମାନ୍ୟତା ମିଳିବା ପରେ ଏହାର ସଂରକ୍ଷଣ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେବେ । ମାଣ୍ଡା ମଇଁଷି ସଂଖ୍ୟା ବଢ଼ାଇବା ଦିଗରେ ଯୋଜନା ହାତକୁ ନିଆଯିବ । ମାଣ୍ଡା ମଇଁଷି କ୍ଷୀରକୁ ବଜାରରେ ବିକ୍ରି ପାଇଁ ବ୍ୟବସ୍ଥା କରାଯିବ ।
ଏହି ମଇଁଷିର ଜନନ ଦବ୍ର୍ୟକୁ ନେଇ ପଶୁ ସମ୍ପଦ ବିକାଶ ବିଭାଗ ଏବଂ ଓୟୁଏଟି ମିଳିତ ଭାବେ ଗବେଷଣା ଚଳାଇଥିଲେ । ମାଣ୍ଡା ମଇଁଷିକୁ ସ୍ୱତନ୍ତ୍ର ପରିଚୟ ଦେବାରେ ସବୁଠୁ ବଡ଼ ଭୂମିକା ରହିଛି ଓୟୁଏଟି ପଶୁ ପ୍ରଜନନ ବିଜ୍ଞାନର ପ୍ରଫେସର ସୁଶାନ୍ତ କୁମାର ଦାସଙ୍କର । ଯେତେବେଳେ ଶ୍ରୀ ସେଠୀ ପଶୁ ସମ୍ପଦ ବିକାଶ ବିଭାଗ ଦାୟିତ୍ୱରେ ଥିଲେ, ଏ ଦିଗରେ ପଦକ୍ଷେପ ନିଆଯାଇଥିଲା ।
ତେବେ ଗବେଷଣାରୁ ଜଣାପଡିଛି ଯେ, ଏହି ସ୍ୱତନ୍ତ୍ର ପ୍ରଜାତି ମଇଁଷିର ଜୀବାଣୁ ସଂକ୍ରମଣକୁ ପ୍ରତିରୋଧ କରିବାର ସ୍ୱତନ୍ତ୍ର କ୍ଷମତା ଅଛି । ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବାରୁ ଏମାନେ କାଁ ଭାଁ ରୋଗରେ ଆକ୍ରାନ୍ତ ହୁଅନ୍ତି । ବଡ଼ କଥା ହେଲା, ଏହି ମାଣ୍ଡା ମଇଁଷିର ପ୍ରଜନନ କ୍ଷମତା ବି ଅଧିକ । ମାଣ୍ଡା ମଇଁଷି କୋରାପୁଟ ସମେତ ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ଅଧିକ ସଂଖ୍ୟାରେ ଅଛନ୍ତି । ସେମାନଙ୍କ ସଂଖ୍ୟା ପ୍ରାୟ ୧ ଲକ୍ଷ ହେବ । ଏହି ମଇଁଷି ଦେଖିବାକୁ ଅନ୍ୟ ମଇଁଷିଠାରୁ ଛୋଟ । ହେଲେ ସେମାନେ ବହୁ ଶକ୍ତ । ଉଭୟ ଅଣ୍ଡିରା ଓ ମାଈ ମଇଁଷି ହଳରେ ବି ବ୍ୟବହୃତ ହୁଅନ୍ତି । ସାଧାରଣତଃ ମାଣ୍ଡା ମଇଁଷି ଦିନକୁ ଦୁଇରୁ ଅଢେ଼ଇ ଲିଟର ପର୍ଯ୍ୟନ୍ତ କ୍ଷୀର ଦେଇଥାନ୍ତି । କେତେକ ମଇଁଷି ୪ ଲିଟର କ୍ଷୀର ବି ଦିଅନ୍ତି ।
ସୂଚନାଯୋଗ୍ୟ, ପ୍ରଫେସର ସୁଶାନ୍ତ କୁମାର ଦାସ ଏହା ପୂର୍ବରୁ ବିଞ୍ଝାରପୁର ଗାଈ, ମୋଟୁ ଗାଈ, ଘୁମୁସାରୀ ଗାଈ, ଖରିଆର ଗାଈର ଦେଶୀ ଗାଈ ଉପରେ ଗବେଷଣା କରି ସ୍ୱତନ୍ତ୍ର ପ୍ରଜାତି ମାନ୍ୟତା ଦେବାରେ ବଡ଼ ଭୂମିକା ନେଇଥିଲେ ।
Powered by Froala Editor