ଗୁରୁ ବିନା ଏ ସଂସାର କଳ୍ପନା କରିବା ଅସମ୍ଭବ

ଆଜି ସେପ୍ଟେମ୍ବର ୫ତାରିଖ, ଡ.ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଜୟନ୍ତୀ ଅର୍ଥାତ ପବିତ୍ର ଗୁରୁ ଦିବସ । ଗୁରୁ ବିନା ଏ ସଂସାର କଳ୍ପନା କରିବା ମଧ୍ୟ ଅସମ୍ଭବ । ଗୁୁରୁ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ଜୀବନ୍ତ ଅବତାର ଅଟନ୍ତି । ଗୁରୁ ଏମିତି ଏକ ଶବ୍ଦ ଯାହାକୁ ବର୍ଣ୍ଣନା କରିବାକୁ ଏ ସଂସାରର ସମସ୍ତ ଶବ୍ଦ କମ ପଡିଯାଏ । ପିତାମାତା ଜନ୍ମ କରି ଏ ସୁନ୍ଦର ପୃଥିବୀକୁ ଆଣିଥାନ୍ତି କିନ୍ତୁ ଯିଏ ବଞ୍ଚିବାର କଳା ଶିଖାଇଥାନ୍ତି ଓ ଅଜ୍ଞାନ ରୂପକ ଅନ୍ଧକାରରୁ ଟାଣି ଜ୍ଞାନର ଆଲୋକ ଦେଖାଇଥାନ୍ତି ସେ ହେଉଛନ୍ତି ଗୁରୁ । ଗୁରୁ ଏମିତି ଏକ ବରଗଛ ଯାହାଙ୍କ ଚାରି ପାଖରେ ବିଶ୍ୱାସ ଓ ଭରସାର ଓହଳ । ଯଦି ଜୀବନ କୁ ଏକ ବୃତ୍ତ ଭାବେ କହିବା ତେବେ ଗୁରୁ ହେଉଛନ୍ତି ସେହି ବୃତ୍ତର କେନ୍ଦ୍ରବିନ୍ଦୁ, ବିଦ୍ୟାଳୟ ଯଦି ଗୋଟେ କାରଖାନା ହୁଏ, ତେବେ ଗୁରୁ ହେଉଛନ୍ତି ସେଠାକାର ମଣିଷ ଗଢା ମେସିନ । ଅନନ୍ତ ଆକାଶ ଭଳି ଜୀବନର ମାର୍ଗରେ ପଥ ପ୍ରଦର୍ଶକ ସାଜି ଯିଏ ସର୍ବଦା ସମାଜର ହିତ ପାଇଁ ନିଜକୁ ତିଳତିଳ କରି ଜାଳି ସମାଜକୁ ଜ୍ଞାନର ଆଲୋକ ବାଣ୍ଟିଥାନ୍ତି, ସେ ହେଉଛନ୍ତି ଗୁରୁ । ପ୍ରତିଟି ମଣିଷ ରୂପି କ୍ଷୁଦ୍ର ମଞ୍ଜିକୁ ମହାଦୃମରେ ପରିଣତ କରିବାରେ ଯାହାଙ୍କ ତ୍ୟାଗ ଥାଏ ସେ ହେଉଛନ୍ତି ଗୁରୁ । ଏ ସଂସାରରେ ପ୍ରତିଟି ଜିନିଷ ଠାରୁ ଆମର କିଛି ନା କିଛି ଶିଖିବାର ଆବଶ୍ୟକତା ଅଛି । ସେଥିପାଇଁ ଅବଦୂତ ପ୍ରଜାପତିକୁ ମଧ୍ୟ ଗୁରୁ ଭାବେ ଗ୍ରହଣ କରିଥିଲେ । ଏହି ମହାନ ଦିବସରେ ଗୁରୁଙ୍କ ଆଶୀର୍ବାଦ ନେବା ସହ ଗୁରୁଙ୍କ ପ୍ରତି ସର୍ବଦା ଶ୍ରଦ୍ଧା, ସମ୍ମାନ ବାଜାୟୀ ରଖିବାକୁ ପ୍ରତିଜ୍ଞା କରିବା ଉଚିତ୍ ।
Powered by Froala Editor