ଦୁଇ ଭାଗରେ ବିଭକ୍ତ କରାଯିବ ପିଏଫ ଖାତା
ନୂଆଦିଲ୍ଲୀ: ଟିକସ ହିସାବ ଲାଗି ଭବିଷ୍ୟନିଧି ପାଣ୍ଠି (ପିଏଫ୍) ଖାତାକୁ ଦୁଇ ଭାଗରେ ବିଭକ୍ତ କରାଯିବ । ତାହାକୁ ଟିକସ ଓ ଅଣ-ଟିକସ ଭଳି ଦୁଇଟି ବର୍ଗରେ ରଖାଯିବ । ଯେଉଁ ଖାତାରେ କର୍ମଚାରୀଙ୍କ ଅବଦାନରୁ ବାର୍ଷିକ ଅଢେ଼ଇ ଲକ୍ଷ ଟଙ୍କାରୁ ଅଧିକ ଆୟ ହେଉଥିବ ତାହାକୁ ଟିକସ ପରିସରରେ ସାମିଲ କରାଯିବ । ଏନେଇ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ସ୍ୱତନ୍ତ୍ର ନିୟମ ଜାରି କରିଛି । ତେଣୁ ଆଗାମୀ ଦିନରେ ସମସ୍ତ କର୍ମଚାରୀଙ୍କ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍) ଖାତାକୁ ଦୁଇ ଭାଗରେ ବିଭକ୍ତ କରାଯିବ । ଗତ ମାସ ୩୧ରେ ଅର୍ଥ ମନ୍ତ୍ରଣାଳୟ ଏନେଇ ବିଜ୍ଞପ୍ତି ଜାରି କରିଥିବା ବେଳେ ଆୟକର ବିଭାଗକୁ ମଧ୍ୟ ଅବଗତ କରାଯାଇଛି । ୨୦୨୨ ଏପ୍ରିଲ୍ ୧ରୁ ଏହି ନୂଆ ନିୟମ ଲାଗୁ ହେବ ବୋଲି କୁହାଯାଉଛି । ପିଏଫ ଖାତାରେ କର୍ମଚାରୀଙ୍କ ଅବଦାନ ରାଶିରୁ ହେଉଥିବା ଆୟ ଉପରେ ଟିକସ ଲଗାଇବା ଲାଗି ଆୟକର ନିୟମରେ ‘ଧାରା ୯ଡି’ ନାମକ ଏକ ନୂଆ ଧାରା ଯୋଡ଼ାଯିବ । ସୁଧ ଆୟ ଉପରେ ଟିକସ ହିସାବ ଲାଗି ଇପିଏଫର ପ୍ରତି ଖାତାରେ ଦୁଇଟି ଅଲଗା ଖାତା ରହିବ । ଯେଉଁ ଖାତାରେ ମୋଟା ଅଙ୍କର ସୁଧ ଆୟ ହେଉଛି ସେଗୁଡ଼ିକ ଏହି ନିୟମ ଦ୍ୱାରା ପ୍ରଭାବିତ ହେବେ । ପିଏଫ ଖାତାରୁ ହେଉଥିବା ଆୟ ଉପରେ ଟିକସ ଲଗାଇବା ଲାଗି ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ । ତାଙ୍କ ଯୁକ୍ତି ହେଉଛି ଇପିଏଫଓରେ ଏଭଳି କିଛି ହାତଗଣତି ଖାତା ରହିଛି ଯେଉଁଥିରେ ମୋଟା ଅଙ୍କର ସୁଧ ଆୟ ହେଉଛି । ଏହି ଖାତାଧାରୀମାନେ ସେହି ଆୟ ଉପରେ ଟିକସ ଦେଉନାହାନ୍ତି । ସେମାନଙ୍କଠାରୁ ଟିକସ ଆଦାୟ କରାଯିବ । ଅନ୍ୟ ସଦସ୍ୟମାନେ ଏହି ନିୟମ ଦ୍ୱାରା ପ୍ରଭାବିତ ହେବେ ନାହିଁ ବୋଲି ସେ କହିଥିଲେ ।
Powered by Froala Editor