ଲାଗିଛି ସଙ୍ଗୀନ ଦଫା : ଜେଲ୍ରେ ମାନବବାଦ ସଂଗଠନ ମୁଖ୍ୟ ମାନସ ଦାସ ଓ ପୁଅ ମନୋରଞ୍ଜନ

ବୋଲଗଡ ବ୍ଲକ୍ ଅଭିମାନପୁର ଗାଁର ସତ୍ୟବ୍ରତ ନାୟକ ହତ୍ୟା ମାମଲାରେ ମାନବବାଦ ସଙ୍ଗଠନ ମୁଖ୍ୟ ମାନସ ଦାସ ଓ ତାଙ୍କ ପୁଅ ମନୋରଞ୍ଜନ ଦାସଙ୍କୁ ପୁଲିସ ଗିରଫ କରିଛି । ଗତକାଲି ତାଙ୍କୁ ପୁଲିସ ଗିରଫ କରି ଖୋର୍ଦ୍ଧା ଜେଲ୍ ପଠାଇ ଦେଇଛି । ସେମାନଙ୍କୁ ଖୋର୍ଦ୍ଧା ଏସଡିଜେଏମ୍ କୋର୍ଟରେ ହାଜର କରିଥିଲା । ଜାମିନ ନାମାଞ୍ଜୁର ହେବାରୁ ଉଭୟଙ୍କୁ ଜେଲକୁ ପଠାଇ ଦିଆଯାଇଛି । ଜେଲର ଦୁଇ ନମ୍ବର ସ୍ବତନ୍ତ୍ର ଓ୍ବାର୍ଡରେ ୧୪ଦିନ ପାଇଁ ରଖାଯିବ ବୋଲି ଜେଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଅଧିକ ତଦନ୍ତ ପାଇଁ ଖୋର୍ଦ୍ଧା ପୁଲିସ ବାପ-ପୁଅଙ୍କୁ ରିମାଣ୍ଡରେ ଆଣିବା ପାଇଁ ଯୋଜନା କରୁଛି । ମାନସ ଦାସଙ୍କ ନାଁରେ ଆଇପିସିର ଧାରା ୩୬୩, ୩୬୪, ୩୦୨, ୨୦୧, ୧୦୨(ବି), ୧୦୯, ୩୪ରେ ମାମଲା ରୁଜୁ ହୋଇଛି । ହତ୍ୟା, ପ୍ରମାଣ ନଷ୍ଟ, ଧମକ ଓ ଅପହରଣ ଆଦି ଅଭିଯୋଗରେ ଦଫା ଲାଗିଛି ।
ଅନ୍ୟପଟେ ମାନସ ଦାସଙ୍କ ସମର୍ଥକ ଏସ୍ପି ଅଫିସ୍ ଆସି ବିରୋଧ କରିବାର ସମ୍ଭାବନା ରହିଛି । ଗୁରୁବାର ମଧ୍ୟ ମାନସ ଦାସ ଓ ତାଙ୍କ ପୁଅ ଗିରଫ ହେବା ପରେ ସନ୍ଧ୍ୟାରେ ଏସ୍ପି ଅଫିସରେ ରୁଣ୍ଡ ହୋଇଥିଲେ ତାଙ୍କ ସମର୍ଥକ । ସୁରକ୍ଷା ଦୃଷ୍ଟିରୁ ଏସ୍ପି ଅଫିସରେ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
ସୂଚନାଯୋଗ୍ୟ ଯେ, ଅଗଷ୍ଟ ୩ ତାରିଖରେ ସତ୍ୟବ୍ରତଙ୍କୁ ହତ୍ୟା ନେଇ ଅଭିଯୋଗ କରିଥିଲେ ଅଭିମାନପୁର ଗାଁର ବାପ-ପୁଅ । ପୂର୍ବରୁ ଏହି ମାମଲାରେ ୬ ଜଣ ଗିରଫ ହୋଇଥିଲା । ତଦନ୍ତ ବେଳେ ମାନସ ଦାସଙ୍କ ବିରୋଧରେ ପୁଲିସକୁ ପ୍ରମାଣ ମିଳିଛି ।
ମାନବବାଦ ସଂଗଠନ ନାଁରେ ବିଭିନ୍ନ ସ୍ଥାନରେ ଲୋକଙ୍କୁ ମାଡ଼ ମାରିବା ସହ ହତ୍ୟା ଧମକ, ଧର୍ମାନ୍ତରୀକରଣ ଅଭିଯୋଗ ରହିଛି । ଲୋକ ଲଗାଇ ମାନସ ଦାସ ଲୋକଙ୍କୁ ମାଡ଼ ମାରୁଥିବା ଅଭିଯୋଗ ହୋଇଛି । ତାଙ୍କୁ ଗିରଫ କରିବାକୁ ନିକଟରେ ଖୋର୍ଦ୍ଧା ଜିଲ୍ଲାପାଳ ଓ ଏସପିଙ୍କ ନିକଟରେ 10ଟି ଆଦିବାସୀ ଓ ଦଳିତ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ କରାଯାଇଥିଲା ।
Powered by Froala Editor